Categories: ରାଜ୍ୟ

୧୨୦ ଟଙ୍କାରେ କରିଥିଲି ଦୋକାନ

ଆର୍ଥିକ ଦୁରବସ୍ଥା ଯୋଗୁ ଅଧାରୁ ଛାଡ଼ିବାକୁ ପଡ଼ିଲା ପାଠ। ପରିବାରକୁ ସହଯୋଗ କରିବାକୁ ପାନ ଦୋକାନଟିଏ କଲି। ପାଖରେ ଥିଲା ୭୦ ଟଙ୍କା। ବାପା ଆଉ ୫୦ ଟଙ୍କା ଦେବା ପରେ ୧୨୦ ଟଙ୍କାରେ ଗଁା ଛକରେ ଦୋକାନ ଖୋଲିଲି। ସେହି ଦୋକାନରୁ ଆଜି ପରିବାର ଚଳାଉଛି। ଦୁଇ ପୁଅଙ୍କୁ ପାଠ ପଢ଼ାଉଛି। ଘର ଖଣ୍ଡିଏ ମଧ୍ୟ କରିପାରିଛି। ଅନୁଗୋଳ ବ୍ଲକ ବନ୍ତଳା ଥାନା ଶଙ୍ଖପୁର ଗ୍ରାମର ଗିରିଶ ଚନ୍ଦ୍ର ସାହୁ (୪୮)ଙ୍କ ଏ ହେଉଛି ଜୀବନ ସଂଘର୍ଷର କଥା। ବାପା ବେଣୁଧରଙ୍କ ୫ ପିଲାଙ୍କ ମଧ୍ୟରୁ ଗିରିଶ ହେଉଛନ୍ତି ବଡ଼। ବନ୍ତଳା ସରକାରୀ ହାଇସ୍କୁଲରୁ ସେ ଅଷ୍ଟମ ଶ୍ରେଣୀରେ ପାସ କରିବା ପରେ ବାପା ଆଉ ତାଙ୍କୁ ପଢ଼ାଇପାରି ନ ଥିଲେ। ପରିବାର ଚଳିବା କଷ୍ଟକର ହେଉଥିବାରୁ ଗିରିଶ ଗାଁ ଛକରେ ୧୯୯୩ରେ ଏକ ଦୋକାନ ଖୋଲିଲେ। ପ୍ରଥମେ ଗୋଟିଏ କଡା ପାନ ପତ୍ର ଓ କିଛି ମସଲା ସହ ବିସ୍କୁଟ, ଚକୋଲେଟରେ ବ୍ୟବସାୟ ଆରମ୍ଭ କଲେ। ତାଙ୍କ ହାତ ପ୍ରସ୍ତୁତ ପାନ ଲୋକଙ୍କ ପସନ୍ଦ ଆସିବାରୁ ଦୁଇ ମାସ ପରେ ଦିନକୁ ୩୦ କଡା ପାନ ବିକ୍ରି କଲେ। ଏବେ ବ୍ୟବସାୟ ଢେର ବଢ଼ିଛି। ଦୈନିକ ଲାଗୁଆ ଗ୍ରାହକଙ୍କ ସଂଖ୍ୟା ଦୁଇ ଶହରେ ପହଞ୍ଚିଛି। ସେମାନଙ୍କ ପାଇଁ ଆଗୁଆ ପାନ ତିଆରି କରିବା ଦୈନିକ ଗିରିଶଙ୍କ ଏକ ମୁଖ୍ୟ କାମ ହୋଇଯାଇଛି। ଦୀର୍ଘ ୨୭ ବର୍ଷର ଏହି ବ୍ୟବସାୟରୁ ସେ ପରିବାର ପାଇଁ ବେଶ୍‌ କିଛି କରିପାରିଛନ୍ତି। ନିଜେ ବିବାହ କରିବା ସହ ଦୁଇ ଭାଇଙ୍କ ବାହାଘର କରାଇଛନ୍ତି। ତିନି ଗୁଣ୍ଠ ଘରଡିହ କିଣି ଘର ନିର୍ମାଣ କରିଛନ୍ତି। ବଡ଼ ପୁଅ ସୋନସ୍କ ପ୍ରସାଦ ସାହୁ ଏବେ ରେଭେନ୍‌ଶାରେ ଯୁକ୍ତ ତିନି ବିଜ୍ଞାନ ଛାତ୍ର। ଆଇଏଏସ୍‌ ପରୀକ୍ଷା ପାଇଁ ମଧ୍ୟ ପୁଅ ପ୍ରସ୍ତୁତି କରୁଛି। ସାନ ପୁଅ ଦେବ ପ୍ରସାଦ ଅଷ୍ଟମ ଶ୍ରେଣୀରେ ପଢୁଛି। ପାନ ଦୋକାନ ତାଙ୍କୁ ସମାଜରେ ପରିଚୟ ଦେଇଥିବା ଗିରିଶ କହିଛନ୍ତି।
– ରିପୋର୍ଟ- ଦୀନେଶ ଦେହୁରୀ

Share