୧୨୩୯ଜଣ ବିଦେଶ ଫେରନ୍ତାଙ୍କ ପଞ୍ଜିକରଣ ହୋଇଛି: ବାଗ୍‌ଚୀ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ବିଶେଷକରି ଚାଇନା, ଇଟାଲି, ସ୍ପେନ, ଦକ୍ଷିଣ କୋରିଆ ଆଦି ଦେଶ କରୋନାରେ ପ୍ରଭାବିତ ହୋଇଛନ୍ତି। ଭାରତରେ ସୋମବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ ଥିବା ବେଳେ ମଙ୍ଗଳବାର ଏହା ୧୨୬କୁ ଛୁଇଁଛି। ସେହିଭଳି ମୃତ୍ୟୁସଂଖ୍ୟା ୨ରୁ ୩କୁ ପହଞ୍ଚିଛି। ଜଣେ କରୋନା ରୋଗୀ ଆଉ ୩ ଜଣଙ୍କୁ ସଂକ୍ରମିତ କରିପାରିବେ। ଏଣୁ ସମସ୍ତେ ସଚେତନ ରହିବା ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଟ୍ରୋଲ ଫ୍ରି ନଂ ୧୦୪, ଏବଂ ଅନ୍‌ଲାଇନ୍‌ ପୋର୍ଟାଲ covid୧୯.odisha.gov.inରେ ୧୨୩୯ଜଣ ରେଜିଷ୍ଟେଶନ କରିଛନ୍ତି। ୧୦୪ ନଂ ରେ ୫୯୪ଜଣ ଏବଂ ୬୮୫ଜଣ ଓ୍ବେବ୍‌ସାଇଟ୍‌ରେ ରେଜିଷ୍ଟେଶନ କରିଛନ୍ତି।
ଆଗାମୀ ଦିନରେ ମଧ୍ୟ ଏହି ରେଜିଷ୍ଟେଶନ ପ୍ରକ୍ରିୟା ଜାରି ରହିବ। ୧୦୪ ନଂ ହେଲ୍‌ପଲାଇନ୍‌ର ଡା. କ୍ରିଷ୍ଣନ କୁମାର ନେତୃତ୍ୱ ନେବେ ବୋଲି ସେ କହିଛନ୍ତି।

ଏହାଛଡ଼ା ସେ ଚିହ୍ନଟ ହୋଇଥିବା କରୋନା ରୋଗୀ ସୁସ୍ଥ ଥିବା କହିଛନ୍ତି। କରୋନା ଚିହ୍ନଟ ପାଇଁ ୩୨ଟି ସାମ୍ପୁଲ ଟେଷ୍ଟ କରାଯାଇଥିଲା। ସେଥିରୁ ୩୧ଟି ନେଗେଟିଭ୍‌ ଆସିଥିବା ବେଳେ ଜଣେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏବେ ତାଙ୍କ ପରିବାରକୁ ଆଇସୋଲେଶନରେ ରଖାଯାଇଛି। ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ରେ ୫୪୬ଟି ଆଇସୋଲେଶନ ବେଡ୍‌ ପ୍ରସ୍ତୁତ କରାଯାଇଛି। ଏଥିସହ ପଞ୍ଚାୟତସ୍ତରରେ କ୍ୱାରେଣ୍ଟାଇନ୍‌ ଫାସିଲିଟି ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଉଛି। ଘରୋଇ ହସ୍ପିଟାଲରେ କୋଭିଡ ୧୯ ପାଇଁ ଶର୍ଯ୍ୟା ରଖିବାକୁ କୁହାଯାଇଥିବା ସେ କହିଛନ୍ତି।

Share