୧୨ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦେଶ

ଢାକା, ୨୨ା୧୦(ପି.ଟି.): ବାଂଲାଦେଶର ବାଜିତ୍‌ପୁରରେ ଜମି ବିବାଦକୁ ନେଇ ୨୦୧୫ ଅକ୍ଟୋବର ୨୨ରେ ଜଣେ ଆଇନଜୀବୀଙ୍କ ସହାୟକ ମୁବାରକ ହୋସେନ୍‌ଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ଶୁଣାଣି କରି ବାଂଲାଦେଶର ଫାଷ୍ଟଟ୍ରାକ୍‌ କୋର୍ଟ ୧୨ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ଢାକା ସେସନ୍ସ ଜଜ୍‌ କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ଆଇନଜୀବୀଙ୍କ ସହାୟକ ଭାବେ ହୋସେନ୍‌ କାମ କରୁଥିଲେ। କିଶୋରଗଞ୍ଜସ୍ଥିତ ବାଜିତ୍‌ପୁର ଉପଜିଲାରେ ଥିବା ଜମିକୁ ନେଇ ବିବାଦ ରହିଥିଲା। ଏହି ଘଟଣାରେ ଢାକା ସ୍ପିଡ୍‌ ଟ୍ରାଏଲ୍‌ ଟ୍ରିବ୍ୟୁନାଲ-୩ ବିଚାରପତି ମୋନିର କମଲ ସୋମବାର ଶୁଣାଣି କରି ୧୨ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବାବେଳେ ଅନ୍ୟ ୨ ଅଭିଯୁକ୍ତଙ୍କୁ ବର୍ଷେ ଲେଖାଏ ଜେଲ୍‌ଦଣ୍ଡ ଭୋଗିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଜଣେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ମୃତ୍ୟୁଦଣ୍ଡ ପାଇଥିବା ୧୨ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ନିଖୋଜ ଅଛନ୍ତି। ପ୍ରତ୍ୟେକଙ୍କୁ ୨୦ ହଜାର ଟାକା(ବାଂଲାଦେଶ ମୁଦ୍ରା)ର ଜରିମାନା କରାଯାଇଛି। ହତ୍ୟାକାଣ୍ଡ ପରେ ୧୫ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ୨୦୧୭ ଜାନୁୟାରୀ ୨ରେ ତଦନ୍ତକାରୀ ଅଧିକାରୀ ଚାଜଶିଟ୍‌ ଦାଖଲ କରିଥିଲେ। ୩୧ ସାକ୍ଷୀ ଓ ବିଭିନ୍ନ ରେକର୍ଡପତ୍ରର ତର୍ଜମା କରାଯାଇ ବିଚାରପତି ଏହି ଶୁଣାଣି କରିଥିଲେ।

Share