୧୨ ଗ୍ରାମ ବ୍ରାଉନସୁଗାର ଜବତ: ମହିଳା ଗିରଫ

ପୁରୀ ଅଫିସ, ୬ା୮: କୁମ୍ଭାରପଡ଼ା ଥାନା ଅଧୀନ ନରେନ୍ଦ୍ରକୋଣ ଏବଂ ଦେବୀଘାଟ ଅଞ୍ଚଳ ନିଶା କାରବାରର ପେଣ୍ଠସ୍ଥଳ ପାଲଟିଛି। ନାବାଳକ ଓ ମହିଳାମାନଙ୍କ ଜରିଆରେ ଏହି ବେପାର ଚାଲିଛି। ମଙ୍ଗଳବାର ନରେନ୍ଦ୍ରକୋଣରୁ ଜଣେ ମହିଳାଙ୍କଠାରୁ ୧୨ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ। ବେଆଇନ ନିଶା କାରବାର ଅଭିଯୋଗରେ ସମ୍ପୃକ୍ତ ମହିଳା ସନ୍ତୋଷୀ ନାୟକଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଏନ୍‌ଡିପିଏସ୍‌ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅବକାରୀ ଥାନା ଆଇଆଇସି ବିକାଶ ନାୟକ କହିଛନ୍ତି।

ସୂଚନା ଅନୁଯାୟୀ, ନରେନ୍ଦ୍ରକୋଣଠାରେ ଜଣେ ମହିଳା ଏକ ବ୍ୟାଗରେ ବ୍ରାଉନ ସୁଗାର ଧରି ଗ୍ରାହକଙ୍କ ଅପେକ୍ଷାରେ ଠିଆ ହୋଇଥିବା ଖବର ପାଇଥିଲା ଅବକାରୀ ବିଭାଗ। ଏହାପରେ ଏକ ଟିମ୍‌ ସାଦା ପୋଷାକରେ ସେଠାରେ ପହଞ୍ଚତ୍ଥିଲା। ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ସନ୍ତୋଷୀଙ୍କ ଉପରେ ଟିମ୍‌ର ସନ୍ଦେହ ହୋଇଥିଲା। ୨ଜଣ ମହିଳା ପୋଲିସ ଯାଇ ତାଙ୍କୁ ପଚରାଉଚରା କରିବାରୁ ସବୁକଥା ଜଣାପଡ଼ିଥିଲା। ଏହାପରେ ସେମାନେ ତାଙ୍କ ବ୍ୟାଗ ଯାଞ୍ଚ କରି ବ୍ରାଉନସାଗର ଜବତ କରିଥିଲେ।