Categories: ଫୁରସତ

୧୨ ଘଣ୍ଟାରେ ୩୫୦ ମିଲିୟନ ବୃକ୍ଷରୋପଣ କଲେ ଇଥିଓପିଆବାସୀ

ଜଙ୍ଗଲ ଅବକ୍ଷୟ ଯୋଗୁ ବିଗୁଡୁଛି ପରିବେଶ ସନ୍ତୁଳନ। ଏହାକୁ ଠିକ୍‌ ସମୟରେ ରୋକା ନ ଗଲେ ସମସ୍ତଙ୍କ ଜୀବନ ହୋଇଯିବ ଦୁର୍ବିଷହ। ଏକଥାର ମର୍ମ ଭଲଭାବେ ବୁଝିପାରିଛନ୍ତି ଇଥିଓପିଆର ସରକାର ଓ ଜନତା। କାରଣ ଏଠାକାର ଜଙ୍ଗଲ ଅବକ୍ଷୟ ଘଟି ମାତ୍ର୪% ରହିଥିଲା। ସେଇଥିପାଇଁ ଯେବେ ଏଠାକାର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ବୃକ୍ଷରୋପଣ କଥା ଚିନ୍ତା କଲେ ସାରା ଇଥିଓପିଆବାସୀ ଆଗେଇ ଆସିଲେ ତାଙ୍କ ସହ ହାତ ମିଳାଇବାକୁ। ଆଉ ଇଥିଓପିଆବାସୀ ୧୦୦୦ଟି ଭିନ୍ନ ଭିନ୍ନ ସ୍ଥାନରେ ଏକତ୍ରିତ ହୋଇ ଏକସମୟରେ ବୃକ୍ଷରୋପଣ ଆରମ୍ଭ କଲେ। ଲକ୍ଷ୍ୟ ଥିଲା ୧୨ ଘଣ୍ଟାରେ ୨୦୦ମିଲିୟନ ଚାରା ଲଗାଇବା। ହେଲେ ସମୟ ସରିବା ବେଳକୁ ସରକାରୀ ଅଧିକାରୀମାନେ ପ୍ରକାଶ କଲେ ଯେ, ରେକର୍ଡ ସ୍ତରର ୩୫୦ ମିଲିୟନରୁ ଊର୍ଦ୍ଧ୍ୱ (୩୫୩,୬୩୩,୬୬୦) ଚାରାରୋପଣ ହୋଇଛି। ଖାସ୍‌ ବୃକ୍ଷରୋପଣ ପାଇଁ ଅନେକ ସ୍କୁଲ, ସରକାରୀ କାର୍ଯ୍ୟାଳୟ ବନ୍ଦ ହୋଇଥିଲା। ଯେମିତିକି ଅଧିକରୁ ଅଧିକ ଲୋକ ଏଥିରେ ଯୋଗ ଦେଇପାରିବେ। ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଆହୁରି ମଧ୍ୟ ଲକ୍ଷ୍ୟ ରଖିଛନ୍ତି ଆଗାମୀ ଦିନରେ ୪ ବିଲିୟନ ବୃକ୍ଷରୋପଣ କରାଯିବ।

Share