୧୨ ଘଣ୍ଟା ପରେ ବାଇକ୍‌ରେ ଗଲେ ୬ ପ୍ରବାସୀ

ଅନୁଗୋଳ ଅଫିସ, ୫।୫

ଓଡ଼ିଶା ଫେରିବାକୁ ଚାହଁୁଥିବା ପ୍ରବାସୀମାନଙ୍କୁ କିପରି ଅଣାଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯିବ ସେ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା କରିଛନ୍ତି। ଯେଉଁମାନେ ଏଥିପାଇଁ ପଞ୍ଜୀକରଣ କରିନାହାନ୍ତି ସେମାନଙ୍କୁ ରାଜ୍ୟ ସୀମାନ୍ତ ଚେକ୍‌ଗେଟ୍‌ରେ ପଞ୍ଜୀକୃତ କରାଯାଇ ନିଜ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରରେ ରଖିବାର ବ୍ୟବସ୍ଥା ରହିଛି। କିନ୍ତୁ ଜିଲା ପ୍ରଶାସନକୁ ନ ଜଣାଇ ରବିବାର ସୁରଟ୍‌ରୁ ଫେରିଥିବା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଞ୍ଚଳର ୬ଜଣ ଯୁବକଙ୍କୁ ଅନୁଗୋଳ ଜିଲା ପ୍ରଶାସନ କିଛି ବି ସହାୟତା କରି ନ ଥିବା ଅଭିଯୋଗ ହୋଇଛି। ଦୀର୍ଘ ୧୨ ଘଣ୍ଟା ଧରି ସେମାନେ କିଆକଟା ଥାନା ସମ୍ମୁଖରେ ବସି ରହିବା ପରେ ଶେଷରେ ଘର ଲୋକଙ୍କ ସହ ବାଇକ୍‌ରେ ଯିବା ଜିଲାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।
ସୂଚନା ଅନୁଯାୟୀ, ସୋନପୁର ଓ ବୌଦ୍ଧ ଜିଲାର ଲୋକମାନେ ନିଜ ଖର୍ଚ୍ଚରେ ସୁରଟରୁ ଏକ ବସ୍‌ରେ ଆସିଥିଲେ। ସେମାନଙ୍କ ସହ ଆଠମଲ୍ଲିକ ବ୍ଲକ ଅଞ୍ଚଳର ସମ୍ପୃକ୍ତ ୬ ଜଣ ଥିଲେ। ସମସ୍ତଙ୍କ ନିକଟରେ ରେଢ଼ାଖୋଲ ପର୍ଯ୍ୟନ୍ତ ଆସିବାର ଅନୁମତି ଥିଲା। ଏହାଛଡ଼ା ଅନୁଗୋଳ ଆସୁଥିବା ନେଇ ସେମାନେ ପ୍ରଶାସନକୁ ଅବଗତ କରି ନ ଥିଲେ। ବସ୍‌ ସୋନପୁର ଓ ବୌଦ୍ଧ ଜିଲାର ଲୋକଙ୍କୁ ଓହ୍ଲାଇଦେବା ପରେ ଆଠମଲ୍ଲିକର ୬ଜଣଙ୍କୁ କିଆକଟା ଥାନା ଯାଏ ଆଣିଥିଲା। ପୂର୍ବାହ୍ନ ୧୦ଟାରେ ସମ୍ପୃକ୍ତ ୬ଜଣ ଓହ୍ଲାଇ ଥାନାକୁ ଯାଇଥିଲେ। କିନ୍ତୁ ପୋଲିସ ଏ କାର୍ଯ୍ୟ ପ୍ରଶାସନର କହି ଚୁପ୍‌ ବସିଯାଇଥିଲା। ନିରାଶ ହୋଇ ପ୍ରବାସୀମାନେ ଚାଲି ଚାଲି ଗଁା ଅଭିମୁଖେ ଯାଉଥିବା ବେଳେ ବାଟରେ ଅନ୍ୟ ଗ୍ରାମବାସୀ ଅଟକାଇ ସେମାନଙ୍କୁ ଫେରାଇ ଦେଇଥିଲେ। ଫଳରେ ସେମାନେ ପୁନର୍ବାର ଥାନାର ଦ୍ୱାରସ୍ଥ ହେବା ସହ ରାସ୍ତା ପାର୍ଶ୍ୱରେ ବସି ରହିଥିଲେ। ନଅଗାଁ ସରପଞ୍ଚ, ଆଠମଲ୍ଲିକ ବିଡିଓଙ୍କ ସହାୟତା ଲୋଡିଥିଲେ। କିନ୍ତୁ ସହାୟତା ନ ମିଳିବାରୁ ରାତି ୧୦ଟାରେ ପ୍ରବାସୀମାନେ ଘର ଲୋକଙ୍କ ସହ ୩ଟି ବାଇକ୍‌ରେ ଗାଁକୁ ଫେରିଥିଲେ। ଏହାପରେ ସେମାନଙ୍କୁ ନିକଟସ୍ଥ ବିଦ୍ୟାଳୟରେ ହୋଇଥିବା କ୍ବାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି।
ଏ ସମ୍ପର୍କରେ ଆଠମଲ୍ଲିକ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ କହିଛନ୍ତି, ପ୍ରଶାସନର ଜ୍ଞାତସାରରେ ଆସୁଥିବା ପ୍ରବାସୀଙ୍କୁ ସହଯୋଗ କରାଯିବ। ସୁରଟ୍‌ ଫେରନ୍ତାମାନେ ଏ ନେଇ ଆଗୁଆ ଜଣାଇ ନ ଥିଲେ। ଅନୁଗୋଳ ଜିଲା କରୋନା ନୋଡାଲ ଅଧିକାରୀ ତଥା ପିଡି ଅତୁଲ୍ୟ କୁମାର ଚମ୍ପତିରାୟ କହିଛନ୍ତି, ପ୍ରବାସୀମାନେ ଫେରୁଥିବା ସମ୍ପର୍କରେ ପ୍ରଶାସନକୁ ଅବଗତ କରିଥିଲେ ଏପରି ଅସୁବିଧା ହୋଇ ନ ଥାନ୍ତା। ତଥାପି ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ନୋଡାଲ ଅଧିକାରୀ ପ୍ରକାଶ କରିଛନ୍ତି।

Share