୧୨ ଦଫା ଦାବିରେ ବିଭିନ୍ନ ସଂଘ ପକ୍ଷରୁ ବନ୍ଦ ପାଳନ

ସିମୁଳିଆ,୮।୧(ଡି.ଏନ୍‌.ଏ.): ଲେବର ୟୁନିୟନ, ପାଚିକା ସହାୟିକା, ସିଟୁ, ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକା, ଡ୍ରାଇଭର ୟୁନିୟନ ପକ୍ଷରୁ ମିଳିତ ଭାବେ ସିମୁଳିଆରେ ବନ୍ଦ ଡାକରା ଦିଆଯାଇଥିଲା। ସିଟୁର ସମ୍ପାଦକ ଜଳନ୍ଧର ଜେନାଙ୍କ ଅଧ୍ୟକ୍ଷତାରେ ସମସ୍ତ ସଂଘ ବ୍ଲକର ସଦରମହକୁମା ମାର୍କୋଣା ଛକର ନୀଳକଣ୍ଠେଶ୍ୱର ମନ୍ଦିର ପରିସରରୁ ଶୋଭାଯାତ୍ରାରେ ବାହାରି ବ୍ଲକ, ବ୍ୟାଙ୍କ, କୃଷି କାର୍ଯ୍ୟାଳୟ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ଦୋକାନ ବଜାର ଇତ୍ୟାଦି ବନ୍ଦ କରିଥିଲେ। ଅଙ୍ଗନଓ୍ବାଡ଼ିି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ମାସିକ ଦରମା ୨୧ହଜାରକୁ ବୃଦ୍ଧି, ସରକାରୀ ମାନ୍ୟତା, ସମାନ କାମକୁ ସମାନ ଦରମା, ଘରୋଇକରଣ ବନ୍ଦ, ଶ୍ରମ ଆଇନ ବନ୍ଦ ଆଦି ଦାବି ସମ୍ପର୍କରେ ଏହି ଡାକରା ଦିଆଯାଇଥିଲା ା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘର ସଭାପତି ବବିତା ପାଳ, ସମ୍ପାଦକ ସବିତା ତ୍ରିପାଠୀ, ଲେବର ୟୁନିୟନର ସମ୍ପାଦକ ରାମଚନ୍ଦ୍ର ସିଂ, ବଟ ଜେନା, ବୁଦ୍ଧିରାମ ସିଂ, ଡ୍ରାଇଭର ୟୁନିୟନର ଦୀପକ ନାୟକ, କୁନା ସିଂ, ବାବୁଲି ସିଂ, ପାଚିକା ସଂଘର ସୁଶୀଳା ପାଣିଗ୍ରାହୀ, ମାଳତୀ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ ା ପରେ ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ବ୍ଲକ ଫାଟକ ନିକଟରେ ଅପରାହ୍ନ ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା।