୧୨ ଦିନ ପରେ ରାସ୍ତାରୁ ହଟିଲା ବରଗଛ

ରୂପ୍‌ସା,୨୦।୧୧(ଡି.ଏନ.ଏ.):  ‘ବୁଲ୍‌ବୁଲ୍‌’ ବାତ୍ୟା ଓ ବର୍ଷା ପ୍ରଭାବରେ ବାଲେଶ୍ୱର ସଦର ଥାନା ହଳଦୀପଦା ଫାଣ୍ଡି ଅନ୍ତର୍ଗତ ପଦାବଡ଼ଗାଁ ଗ୍ରାମ ରାସ୍ତାରେ ଏକ ପୁରୁଣା ବରଗଛ ଉପୁଡ଼ି ପଡ଼ିଥିଲା। ଏଥିଲାଗି ଦୀର୍ଘ ୧୨ଦିନ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଗାଁ ଲୋକେ ରାସ୍ତା ଉପରେ ପଡ଼ିଥିବା ଗଛ ପାର୍ଶ୍ୱ ଦେଇ ଅସୁବିଧାରେ ଯା’ଆସ କରୁଥିଲେ। ଏ ନେଇ ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତର ସ୍ବଚ୍ଛ ସବୁଜ ଯୁବଗୋଷ୍ଠୀ ସଭାପତି ରାଜେଶ କୁମାର ସେଠୀଙ୍କ ସମେତ ପ୍ରଶାନ୍ତ ବାରିକ, ହେମନ୍ତ କୁମାର ଧଳ, ଅଭୟ ସେଠୀ ଓ ସର୍ବେଶ୍ୱର ସେଠୀ ପ୍ରମୁଖ ବୁଧବାର ସ୍ଥାନୀୟ ସାହୁପଡ଼ା ରାଜସ୍ବ ନିରୀକ୍ଷକଙ୍କ ସହ ଯୋଗାଯୋଗ କରିଥିଲେ। ରାଜସ୍ବ ନିରୀକ୍ଷକ ତୁରନ୍ତ ଜିଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ଏ ସମ୍ପର୍କରେ ଅବଗତ କରାଇବା ପରେ ଟିମ୍‌ର କର୍ମଚାରୀ ଓ ଅଧିକାରୀ ପହଞ୍ଚତ୍ ଗଛ ଓ ଡାଳ କାଟି ରାସ୍ତାରୁ ବରଗଛ ହଟାଇଥିଲେ। ଏହାପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ଦୀର୍ଘଦିନ ଧରି ରାସ୍ତା ଉପରେ ଗଛ ପଡ଼ି ରହିଥିବାରୁ ଆମ୍ବୁଲାନ୍ସ, ଦମକଳ ସେବା ସମେତ ଚାରିଚକିଆ ଯାନ ଯିବାଆସିବା କରି ପାରୁ ନ ଥିଲା।