୧୨ ପର୍ଯ୍ୟନ୍ତ ବର୍ଷା: ୫ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୮।୯(ବ୍ୟୁରୋ): ଲଘୁଚାପ ପ୍ରଭାବରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରବିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା ଓ ବରଗଡ଼ ଆଦି ୫ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏସବୁ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ଆକଳନ କରିଛି। ଶନିବାର ସମ୍ବଲପୁରରେ ସର୍ବାଧିକ ୯୯.୪ ମିଲିମିଟର ବର୍ଷା ହୋଇଥିବାବେଳେ ହୀରାକୁଦରେ ୭୦.୫, ଅନୁଗୋଳରେ ୩୬ ଓ ଭବାନୀପାଟଣାରେ ୩୨ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ଲଗାଣ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ନଦୀରେ ବଢ଼ିଛି ଜଳସ୍ତର। ଶନିବାର ଅପରାହ୍ନ ସୁଦ୍ଧା ବୈତରଣୀର ଜଳସ୍ତର ବଢ଼ୁଥିବା ଲକ୍ଷ୍ୟ କରାଯାଇଛି। ଭଦ୍ରକ ଆଖାପଦାଠାରେ ବୈତରଣୀ ଏବେ ବିପଦ ସଙ୍କେତ ଉପରେ ବହୁଥିବାରୁ ନଦୀ କୂଳିଆ ଲୋକେ ବର୍ତ୍ତମାନ ଏହାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି। ସମ୍ଭାବ୍ୟ ବନ୍ୟାସ୍ଥିତି ଓ ଭୂସ୍ଖଳନ ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର ଓ ଖାଦ୍ୟ ପାନୀୟ ବ୍ୟବସ୍ଥା ସୁନିଶ୍ଚିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।