୧୨ ବର୍ଷରେ ଗଡ଼ିଛି ୧,୧୦୯ ଖବରଦାତାଙ୍କ ମୁଣ୍ଡ

ଲଣ୍ଡନ, ୨ା୧୧(ପି.ଟି.): ରାଜନୀତି, ଅପରାଧ ଓ ଦୁର୍ନୀତି ସମ୍ପର୍କରେ ରିପୋର୍ଟିଂ କରୁଥିବା ଖବରଦାତାଙ୍କୁ ବିଭିନ୍ନ ସମୟରେ ଆକ୍ରମଣ କରାଯାଉଛି। ରାଜନୈତିକ ବାହୁଛାୟା ତଳେ ରହି ଅପରାଧୀମାନେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ାଇବାକୁ ପଛାଉ ନାହାନ୍ତି। ବିଗତ ୨ ବର୍ଷ ମଧ୍ୟରେ ପ୍ରାୟ ୫୫% ଖବରଦାତାଙ୍କୁ ଅଣବିବାଦୀୟ ସ୍ଥାନରେ ହତ୍ୟା କରାଯାଇଛି। ଅପରାଧୀମାନେ ସେମାନଙ୍କ ଟ୍ରେଣ୍ଡ୍‌ ବଦଳାଉଥିବା ଏଥିରୁ ଅନୁମେୟ। ୨୦୦୬ରୁ ୨୦୧୮ ମଧ୍ୟରେ ବିଶ୍ୱର ୧,୧୦୯ ଖବରଦାତାଙ୍କୁ ହତ୍ୟା କରାଯାଇଛି। ହେଲେ ୯୦% ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ନ ଥିବା ୟୁନେସ୍କୋ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୪-୧୮ ମଧ୍ୟରେ ଏଭଳି ହତ୍ୟାକାଣ୍ଡ ଘଟଣା ୧୮% ବଢ଼ିଛି। ରିପୋର୍ଟ ମୁତାବକ ଆରବ ରାଷ୍ଟ୍ରଗୁଡ଼ିକରେ ଏହି ହତ୍ୟାକାଣ୍ଡର ମାତ୍ରା ଅଧିକ। ବିଶ୍ୱରେ ହତ୍ୟାର ଶିକାର ହୋଇଥିବା ଖବରଦାତାଙ୍କ ମଧ୍ୟରୁ ୯୩% ସ୍ଥାନୀୟ ଅଞ୍ଚଳର । ଖବରଦାତାଙ୍କୁ କିପରି ସୁରକ୍ଷା ଦିଆଯିବ, ହତ୍ୟାକାରୀଙ୍କୁ ଉଚିତ୍‌ ଦଣ୍ଡ ମିଳିବ, ସେଥିଲାଗି ସଚେତନତା ସୃଷ୍ଟି କରାଯିବା ସହ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ୟୁନେସ୍କୋ ମହାନିର୍ଦ୍ଦେଶକ ଏ. ଆଜୌଲେ ପ୍ରକାଶ କରିଛନ୍ତି।

Share