Categories: ଫୁରସତ

୧୨ ବର୍ଷ ପରେ ମିଳିଲା ହଜିଲା ମୁଦି

ବ୍ରିଟେନ୍‌ରେ ରହୁଥିବା ଅବିଗେଲ୍‌ ଥମ୍ପସନ୍‌ ନାମ୍ନୀ ଜଣେ ୨୦ ବର୍ଷୀୟା ଯୁବତୀ ଦୀର୍ଘ ୧୨ ବର୍ଷ ବ୍ୟବଧାନ ପରେ ତାଙ୍କର ହଜିଯାଇଥିବା ମୁଦି ପାଇବାରେ ସଫଳ ହୋଇପାରିଛନ୍ତି। କିନ୍ତୁ ମୁଦିଟି କେମିତି ହଜିଥିଲା ଆଉ ତାକୁ ସେ କେମିତି ପାଇଲେ, ସେ ଘଟଣାଟିକୁ ବର୍ଣ୍ଣନା କଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ। ସୂଚନାନୁଯାୟୀ, ଅବିଗେଲ୍‌ଙ୍କୁ ଯେତେବେଳେ ମାତ୍ର ୮ ବର୍ଷ ବୟସ ହୋଇଥିଲା, ତାଙ୍କୁ ତାଙ୍କ ମା’ ଏକ ସୁନାମୁଦି ଗିଫ୍ଟ କରିଥିଲେ। କିନ୍ତୁ କିଛିଦିନ ପରେ ହଠାତ୍‌ ସେ ମୁଦିଟି କେଉଁଠି ହଜିଗଲା। ବହୁ ଖୋଜିବା ପରେ ବି ମିଳିଲାନି। ଘରଲୋକ ଭାବିଲେ, ଅବିଗେଲଙ୍କର କେହି ସାଙ୍ଗ ବୋଧେ ସେହି ମୁଦିଟିକୁ ଚୋରିକରି ନେଇଯାଇଛି। ଏମିତି ସମୟ ଗଡ଼ିଚାଲିଲା। ଅବିଗେଲ ବଡ଼ହୋଇ ଜଣେ ବ୍ୟୁଟିସିଆନ୍‌ ଭାବେ କ୍ୟାରିୟର କରିବାକୁ ଲାଗିଲେ। କିନ୍ତୁ ଏଇ କିଛିଦିନ ତଳେ କୌଣସି କାରଣବଶତଃ ତାଙ୍କର ଖୁବ୍‌ ଛିଙ୍କ ହେଲା। ଲଗାତର ସେ ଛିଙ୍କି ଚାଲିଲେ। ଏହି ଛିଙ୍କିବା ଯୋଗୁ ହଠାତ୍‌ କ’ଣ ଗୋଟେ ତାଙ୍କ ନାକରୁ ଛିଟିକି ଯାଇ ତଳେ ପଡ଼ିଗଲା। ଅବିଗେଲ୍‌ କିଛି ବୁଝିପାରିଲେନି। ତଳେ ପଡ଼ିଥିବା ସେହି ଜିନିଷଟିକୁ ଉଠାଇ ତାକୁ ନିରେଖି ଦେଖିବାରୁ ତାହା ତାଙ୍କର ସେହି ହଜିଯାଇଥିବା ମୁଦି ବୋଲି ସେ ଜାଣିଲେ। କାରଣ ଏତେବର୍ଷ ନାକ ଭିତରେ ରହିଥିବାରୁ ମୁଦିର ରଙ୍ଗ ଟିକେ ଫିକା ପଡ଼ିଯାଇଥିଲା। ଆଶ୍ଚର୍ଯ୍ୟ ହୋଇଗଲେ ଘରଲୋକ। ଏହା କେମିତି ସମ୍ଭବ ହେଲା। ଏ ନେଇ ଜଣେ ବରିଷ୍ଠ ପ୍ଲାଷ୍ଟିକ୍‌ ସର୍ଜନଙ୍କ ପରାମର୍ଶ ନେବାରୁ ସେ କହିଲେ, ‘ପିଲାମାନେ ଅସାବଧାନତାବଶତଃ ବେଳେବେଳେ ଏମିତି ଅନେକ ଜିନିଷ ନାକ, କାନ ଓ ପାଟିରେ ପୂରାଇ ଦେଇଥାନ୍ତି। ଅବିଗେଲଙ୍କ କ୍ଷେତ୍ରରେ ବି ସେୟା ହିଁ ଘଟିଛି। ହୁଏତ ସେତେବେଳେ ଅବିଗେଲଙ୍କ ନାକ ଛୋଟ ଥିବାରୁ ମୁଦିଟି ତାହା ଭିତରେ ଜାମ୍‌ହୋଇ ରହିଯାଇଥିଲା। ଆଉ ଏବେ ନାକ ଟିକେ ବଡ଼ ହୋଇଯାଇଥିବାରୁ ବାରମ୍ବାର ଛିଙ୍କିବା ଦ୍ୱାରା ମୁଦିଟି ନାକରୁ ଖସିଆସିଲା। ତଥାପି ଆଶ୍ଚର୍ଯ୍ୟ ଲାଗୁଛି ଏତେବର୍ଷ ଧରି ମୁଦିଟି ଅବିଗେଲଙ୍କ ନାକ ଭିତରେ ରହିଥିଲେ ବି ସେ କେମିତି ଏ କଥା ଜାଣିପାରିଲେ ନାହିଁ। ଆଉ ନିଃଶ୍ୱାସପ୍ରଶ୍ୱାସ ଛାଡିବା ନେବାରେ ତାଙ୍କୁ କେମିତି ଅସୁବିଧା ହେଲାନାହିଁ।’ ତେବେ ସେ ଯାହାହେଉ ଏତେ ବର୍ଷ ପରେ ହଜିଯାଇଥିବା ମୁଦିଟି ପାଇ ଅବିଗେଲ ଯେତିକି ଖୁସି, ତା’ଠାରୁ ଅଧିକ ଖୁସି ହେଉଛନ୍ତି ତାଙ୍କ ପରିବାର ଲୋକେ ଅବିଗେଲଙ୍କୁ ସୁସ୍ଥରେ ଦେଖି।

Share