Categories: ଫୁରସତ

୧୩୦ ଫୁଟ୍‌ ଉଚ୍ଚରେ ଦୀର୍ଘ ୨୬ ବର୍ଷ ହେଲା ବିତୁଛି ଏକୁଟିଆ ଜୀବନ

ଜର୍ଜିଆର ୧୩୦ ଫୁଟ୍‌ ଉଚ୍ଚ କତ୍‌ସ୍କି ଖମ୍ବ କାହଁି କେଉଁ ଯୁଗରୁ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏପରିସ୍ଥଳରେ ସେଠାକୁ କେହି ବି ଯା’ଆସ କରନ୍ତି ନାହଁି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେଲେ ଏହି ଖମ୍ବରେ ଦୀର୍ଘ ୨୬ ବର୍ଷ ଧରି ଜଣେ ବ୍ୟକ୍ତି ନିଜ ଜୀବନ ଜିଉଁଛନ୍ତି। ତା’ପୁଣି ଏକାକୀ। ୧୩୦ ଫୁଟ୍‌ ଉଚ୍ଚ ଶିଖରରେ ରହିବା କଥା କଳ୍ପନା କରିବାକୁ ଯେଉଁଠି ଭୟ ଲାଗେ, ସେଠାରେ ଏତେବର୍ଷ ଧରି ଏକୁଟିଆ ଜୀବନ ବିତାଇବା କିଛି କମ୍‌ କଥା ନୁହେଁ। ଏହି ସାହସିକ ପଦକ୍ଷେପ ଗ୍ରହଣ କରିଛନ୍ତି ମାକ୍ସିମ୍‌ ନାମକ ଜଣେ ଖ୍ରୀଷ୍ଟିଆନ୍‌ ପାଦ୍ରୀ। ତାଙ୍କ ଅନୁସାରେ, ଏତେ ଉଚ୍ଚରେ ରହି ସେ ଈଶ୍ୱରଙ୍କର ନିକଟତର ହୋଇପାରିଥିବା ଅନୁଭବ କରୁଛନ୍ତି। ଶିଖରରେ ଯେଉଁ ଘର ସେ ନିର୍ମାଣ କରିଛନ୍ତି ତା’ର ନାମ ରଖିଛନ୍ତି ମାକ୍ସିମ୍‌ କର୍ଟେଜ୍‌। ୧୯୯୩ରୁ ସେ ଏଠାରେ ରହିଆସୁଛନ୍ତି। ସପ୍ତାହକୁ ମାତ୍ର ଦୁଇଥର ସେ ତଳକୁ ଆସିଥାନ୍ତି। ତଳକୁ ଆସିବାକୁ ୧୩୧ ଫୁଟ୍‌ର ପାହାଚ ନିର୍ମାଣ ହୋଇଛି। ଏଥିରେ ଆସିବାକୁ ମାକ୍ସିମ୍‌କୁ ଅତିକମ୍‌ରେ ୨୦ ମିନିଟ୍‌ ସମୟ ଲାଗେ। ବାକି ସମୟରେ ତଳେ ଥିବା ଲୋକେ ତାଙ୍କୁ ଜରୁରୀ ସାମଗ୍ରୀ ସବୁ ଏକ କୁଲି ଦଉଡ଼ି ମାଧ୍ୟମରେ ପଠାଇଥାନ୍ତି। ଖମ୍ବ ସଦୃଶ ଦେଖାଯାଉଥିବା ଏହି ପାହାଡ଼ର ଶିଖରରେ ସେ ଏକ ପ୍ରାର୍ଥନା କକ୍ଷ ନିର୍ମାଣ କରିଛନ୍ତି। ବେଳେବେଳେ କିଛି ବିପଦରେ ପଡ଼ିଥିବା ଯୁବବର୍ଗ ସେଠାକୁ ପ୍ରାର୍ଥନା କରିବାକୁ ଆସିଥାନ୍ତି।

Share