୧୩୧ ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ

ଭଦ୍ରକ ଅଫିସ,୧ା୪- ଭଦ୍ରକ ଜିଲାର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଜିଲାର ୧୩୧ଟି ପଞ୍ଚାୟତରେ ସୋମବାର ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନ ପକ୍ଷରୁ ଗରିବ, ନିଃସହାୟ, ଦିନ ମଜୁରିଆଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ସାମାଜିକ ଦୂରତା ବଜାୟ ରଖି ବଣ୍ଟନ କରାଯାଇଛି। ଏଥିରେ ମୋଟ ୭ହଜାର ୬୭୩ ଜଣଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି। ଯେଉଁମାନଙ୍କ ମଧ୍ୟରେ ବୟସ୍କ ୬ହଜାର ୪୩୫ ଜଣ ଥିବା ବେଳେ ୧୨୩୮ଜଣ ପିଲା ରହିଛନ୍ତି। ଏହା ବ୍ୟତୀତ ଜିଲାର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ଚିକିତ୍ସିତ ହେଉଥିବା ରୋଗୀ ଏବଂ ସେମାନଙ୍କ ପାଖରେ ରହୁଥିବା ସହାୟକଙ୍କୁ ମଧ୍ୟ ମାଗଣା ଖାଦ୍ୟ ପ୍ରଦାନ କରାଯାଇଛି। ଜିଲାର ୪ଟି ପୌରାଞ୍ଚଳରେ ମୋବାଇଲ ଆହାର ସେବା ଯୋଗାଇ ଦିଆଯାଇଛି। ବାହାର ଜିଲାରୁ ଆସି ଏହି ଅଞ୍ଚଳରେ ଫସି ରହିଥିବା ଶ୍ରମିକ ତଥା ଅନ୍ୟ କାରଣରୁ ଫସି ଥିବା ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆ ଯାଇଛି। ସେହିପରି ଭଦ୍ରକ ପୌରପାଳିକା ପକ୍ଷରୁ ବୁଲା ଗାଈଗୋରୁଙ୍କ ପାଇଁ କାଞ୍ଜିଆହୁଦା କରାଯାଇ ସେଠାରେ ବୁଲୁଥିବା ଗୋରୁଙ୍କୁ ନେଇ ରଖା ଯାଇଛି। ଏହି କାଞ୍ଜିଆହୁଦା ପୌରପାଳିକାର ୨୩ ନମ୍ବର ୱାର୍ଡରେ କରାଯାଇଛି। ଗୋରୁଙ୍କୁ ପୌରପାଳିକା ପକ୍ଷରୁ ଖାଦ୍ୟ ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଯେଉଁମାନଙ୍କ ଗୋରୁ ବୁଲୁଛନ୍ତି ସେମାନଙ୍କ ମାଲିକମାନଙ୍କୁ ସୂଚାଇ ଦିଆଯାଇଛି କି ନିଜ ଗୋରୁଙ୍କୁ ନିଜ ତତ୍ତ୍ବାବଧାନରେ ରଖିବେ ନଚେତ କାଞ୍ଜିଆହୁଦାକୁ ନିଆଯିବ ଏବଂ ପରବର୍ତ୍ତୀ ସମୟରେ ମାଲିକମାନେ ଜରିମାନା ଦେଇ ଗୋରୁ ମୁକୁଳାଇବେ। ମାଲିକମାନେ ଗୃହପାଳିତ ପଶୁଙ୍କୁ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।