ନୂଆଦିଲ୍ଲୀ,୧୬।୧୦: ରାମଜନ୍ମ ଭୂମି ବାବରୀ ମସଜିଦ୍ ବିବାଦ ବହୁ ବର୍ଷ ଧରି ନିର୍ମୋହି ଆଖଡ଼ା ଏବଂ ମୁସଲମାନ୍ ପକ୍ଷଙ୍କ ମଧ୍ୟରେ ଜାରି ରହିଛି। ୧୩୪ ବର୍ଷ ତଳର ଅଯୋଧ୍ୟା ବିବାଦ ନେଇ ଅଦାଲତରେ ହିନ୍ଦୁ ପକ୍ଷ ୭ ଲକ୍ଷ ୫୦ ହଜାର ଏବଂ ମୁସଲମାନ୍ ପକ୍ଷଙ୍କ ଦ୍ୱାରା ୫ ଲକ୍ଷ ମୋଟ ୧୨ ଲକ୍ଷ ୫୦ ହଜାର ପୃଷ୍ଠାର ଫଟୋ କପି ଦାଖଲ କରାଯାଇଛି। ଇତିହାସରୁ ଜଣାଯାଏ ୧୫୨୬ରେ ବାବର ଏବଂ ଇବ୍ରାହିମ୍ ଲୋଧୀଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ବାବରଙ୍କ ଜଣେ ସେନାପତି ଅଯୋଧ୍ୟାରେ ପହଞ୍ଚି ସେଠାରେ ମସଜିଦ୍ ନିର୍ମାଣ କରିଥିଲେ। ବାବରଙ୍କୁ ସମ୍ମାନ ଜଣାଇ ଏହାର ନାମ ବାବରୀ ମସଜିଦ୍ ରଖାଯାଇଥିଲା। ଏହି ମସଜିଦ୍କୁ ନେଇ ୧୮୫୩ରେ ନବାବ ଓ୍ବାଜିଦ୍ ଅଲ୍ଲୀ ଶାହଙ୍କ ସମୟରେ ପ୍ରଥମ କରି ଅଯୋଧ୍ୟାରେ ସାମ୍ପ୍ରଦାୟିକ ହିଂସା ହୋଇଥିଲା। ହିନ୍ଦୁମାନେ ଅଭିଯୋଗ ଆଣିଥିଲେ ଯେ, ସେଠାରେ ମନ୍ଦିର ଭଙ୍ଗାଯାଇ ମସଜିଦ୍ ନିର୍ମାଣ ହୋଇଛି। ପରେ ୧୩୪ ବର୍ଷ ତଳେ ୧୮୮୫ରେ ନିର୍ମୋହି ଆଖଡ଼ା ଜମିର ମାଲିକାନା ନେଇ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ତେବେ ଫୈଜାବାଦ୍ ଜିଲା ଅଦାଲତ ରାମ ଚବୁତରା ଉପରେ ଛତା ସ୍ଥାପନ କରିବା ପାଇଁ ମହନ୍ତ ରଘୁବୀର ଦାସଙ୍କ ଆବେଦନକୁ ଖାରଜ କରିଥିଲେ। ୧୯୪୯ରେ ଏଠାରେ ରାମଲଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ୧୯୫୦ରେ ହିନ୍ଦୁ ମହାସଭା ଆଇନଜୀବୀ ଗୋପାଳ ବିଶାରଦ ବିବାଦୀୟ ଜମିରେ ପୂଜା ପାଇଁ ଫୈଜାବାଦ୍ ଜିଲା ଅଦାଲତରେ ଆବେଦନ କରିଥିଲେ। ୧୯୫୯ରେ ନିର୍ମୋହି ଆଖଡ଼ା ବିବାଦୀୟ ଜମିରେ ମାଲିକାନା ଅଧିକାର ଦାବି କରିଥିଲେ। ୧୯୬୧ରେ ସୁନ୍ନୀ ଓ୍ବାକଫ୍ ବୋର୍ଡ ଏଠାରେ ମୂର୍ତ୍ତି ପୂଜାକୁ ବିରୋଧ କରିବା ସହିତ ମସଜିଦ୍ ଆଖପାଖ ଅଞ୍ଚଳର ମାଲିକାନା ଦାବି ଦାଖଲ କରିଥିଲେ। ୧୯୮୧ରେ ଏନେଇ ସୁନ୍ନୀ ଓ୍ବାକଫ୍ ବୋର୍ଡ ପକ୍ଷରୁ ମାମଲା ଦାଏର କରାଯାଇଥିଲା। ୧୯୮୯ରେ ଆହ୍ଲାବାଦ୍ ହାଇକୋର୍ଟ ବିବାଦୀୟ ଜମିରେ ଯଥାସ୍ଥିତି କାଏମ୍ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ୧୯୯୨ରେ କରସେବକଙ୍କ ଦ୍ୱାରା ବିବାଦୀୟ ନିର୍ମାଣକୁ ଭଙ୍ଗ କରାଯାଇଥିଲା। ୨୦୦୨ରେ ଆହ୍ଲାବାଦ୍ ହାଇକୋର୍ଟରେ ବିବାଦୀୟ ଜମିକୁ ନେଇ ବିଚାର ଆରମ୍ଭ ହୋଇଥିଲା। ୨୦୧୦ରେ ଆହ୍ଲାବାଦ୍ ହାଇକୋର୍ଟ ନିର୍ମୋହି ଆଖଡ଼ା, ସୁନ୍ନୀ ଓ୍ବାକଫ୍ ବୋର୍ଡ ଏବଂ ରାମଲଲାଙ୍କ ମଧ୍ୟରେ ୨.୭୭ ଏକର ବିବାଦୀୟ ଜମିକୁ ସମାନ ଭାବେ ବାଣ୍ଟି ଦେଇଥିଲେ। ୨୦୧୧ରେ ସୁପ୍ରିମ୍କୋର୍ଟ ଆହ୍ଲାବାଦ୍ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଥିଲେ। ୨୦୧୬ରେ ସୁବ୍ରମଣ୍ୟମ ସ୍ବାମୀ ବିବାଦୀୟ ଜମି ଉପରେ ମନ୍ଦିର ନିର୍ମାଣ ପାଇଁ ଆବେଦନ କରିଥିଲେ। ୨୦୧୮ରେ ସୁପ୍ରିମ୍କୋର୍ଟ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ। ୨୦୧୯ ଅଗଷ୍ଟ ୬ରୁ ସାମ୍ବିଧାନିକ ପୀଠରେ ଏହାର ଶୁଣାଣି ଆରମ୍ଭ ହୋଇଥିଲା।