ନୂଆଦିଲ୍ଲୀ,୧୭।୬: ସୋମବାରଠାରୁ ଲୋକ ସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଚଳିତ ଥର ଲୋକସଭାରେ କଂଗ୍ରେସ ଦଳର ୫୨ ଜଣ ସଦସ୍ୟ ରହିଛନ୍ତି। ଏହା ପୂର୍ବରୁ ୨୦୧୪ରେ ଦଳର ସଦସ୍ୟ ସଂଖ୍ୟା ୪୪ ଥିଲା। ଲୋକ ସଭାରେ ବିରୋଧୀ ଆସନରେ ବସିବା ପାଇଁ ୧୦ ପ୍ରତିଶତ ସଦସ୍ୟତା ଆବଶ୍ୟକ। ତେବେ କଂଗ୍ରେସ ପାଖରେ ୫୫ ଜଣରୁ କମ୍ ସଦସ୍ୟ ରହିଛନ୍ତି। ୨୦୧୪ଠାରୁ ୨୦୧୯ ମଧ୍ୟରେ କଂଗ୍ରେସ ଦଳର ଅସ୍ଥିତ୍ୱ ସଙ୍କଟଗ୍ରସ୍ତ ହୋଇଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ୍ ନେହେରୁଙ୍କ ପରେ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଦଳ ବିଭିନ୍ନ ବିବାଦୀୟ ସ୍ଥିତି ଦେଇ ଗତି କରିଥିଲା। ଏହାପରେ ରାଜୀବ ଗାନ୍ଧୀଙ୍କ ସମୟରେ ଦେଶରେ ବିଜ୍ଞାନର ଉନ୍ନତି ହେବା ପଥ ପରିଷ୍କାର ହୋଇଥିଲା। ରାଜୀବ ୧୯୮୪ ନିର୍ବାଚନରେ ସମ୍ବେଦନାମୂଳକ ବିପୁଳ ଭୋଟରେ କ୍ଷମତା ଦଖଲ କରିଥିଲେ। କଂଗ୍ରେସ ମେଣ୍ଟ ୫୪୩ ଆସନରୁ ୪ଶହରୁ ଅଧିକ ଆସନରେ ବିଜୟ ହୋଇଥିଲା। ପରବର୍ତ୍ତୀ ସମୟରେ ନରସିଂହ ରାଓ ସରକାରଙ୍କ ଅମଳରେ ଦେଶରେ ଉଦାରୀକରଣ ଧାରାର ଅଭ୍ୟୁଦୟ ହୋଇଥିଲା। ଏହା ପରେ ଦଳର ଅଧ୍ୟକ୍ଷ ପଦରୁ ସୀତାରାମ କେଶରୀଙ୍କ ହଟାଇ ସୋନିଆ ଗାନ୍ଧୀଙ୍କୁ ଦିଆଯାଇଥିଲା। ସେ ୧୯ ବର୍ଷ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିବା ପରେ ରାହୁଲ ଗାନ୍ଧୀଙ୍କୁ ୨୦୧୭ରେ ଅଧ୍ୟକ୍ଷ ପଦ ଦିଆଗଲା। ତେବେ ୨୦୦୪ରୁ ରାଜନୀତିରେ ସକ୍ରିୟଥିବା ରାହୁଲ ଆଧୁନିକ ଭାରତରେ ପରମ୍ପରା ଗତ ଆଜେଣ୍ଡା ଆଧାରରେ ନିର୍ବାଚନ ଲଢ଼ିବାର ପ୍ରୟାସ କରିଥିଲେ। ଫଳରେ ୨୦୧୪ ପରେ ଏବେ ୨୦୧୯ରେ ସମାନ ସ୍ଥିତିର ସମ୍ମୁଖୀନ ହୋଇଛି କଂଗ୍ରେସ। କେତେକ ଏଥି ପାଇଁ ଦଳର ବଂଶବାଦ ଓ ପରିବାରବାଦକୁ ଦାୟୀ କରୁଥିଲେ ମଧ୍ୟ ତାହା ପ୍ରକୃତ କାରଣ ନୁହେଁ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଭାଜପା ତଥା ଅନ୍ୟ କେତେକ ଦଳରେ ମଧ୍ୟ ବଂଶବାଦ ତଥା ପରିବାରବାଦ ରହିଛି। କଂଗ୍ରେସର ଅସ୍ଥିତ୍ୱ ସଙ୍କଟରେ ପଡ଼ିବାର ପ୍ରକୃତ କାରଣ ହେଉଛି ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ଦଳ ନିଜକୁ ବଦଳାଇ ପାରି ନାହିଁ। ତେଣୁ ଲୋକେ ଦଳକୁ ପ୍ରତ୍ୟାଖାନ କରୁଥିବା ସମୀକ୍ଷକ ମତ ଦେଇଛନ୍ତି।