Categories: ଗଞ୍ଜାମ

୧୩୬ ଛାତ୍ରଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ

ଚନ୍ଦ୍ରଗିରି,୨୧ା୭(ଡି.ଏନ୍‌.ଏ.)-‘ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ’ ନାରାଦେଇ ସରକାର ସମସ୍ତଙ୍କ ପାଖରେ ଶିକ୍ଷା ବ୍ୟବସ୍ଥା ପହଞ୍ଚାଇବାକୁ ବହୁ ଯୋଜନା କରୁଛନ୍ତି। ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ମଧ୍ୟାହ୍ନଭୋଜନ, ମାଗଣାରେ ପାଠ୍ୟପୁସ୍ତକ, ପୋଷାକ, ସାଇକେଲ ଆଦି ବିଭିନ୍ନ ଯୋଜନା କରିଛନ୍ତି। ମାତ୍ର ବିଭିନ୍ନ ସ୍ଥାନରେ ମୌଳିକ ସମସ୍ୟା ଏବେ ବି ଲାଗି ରହିଛି। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଧାଡ଼ିଆମ୍ବ ଉଚ୍ଚ ପ୍ରାଥମିକ (ଏମ୍‌ଇ) ବିଦ୍ୟାଳୟରେ। ୧୯୯୪ରେ ସ୍ଥାପିତ ଏହି ବିଦ୍ୟାଳୟ ୨୦୦୦ରେ ଅପଗ୍ରେଡ଼ (ବ୍ଲକଅନୁଦାନ) ମାନ୍ୟତା ପାଇଛି। ବର୍ତ୍ତମାନ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୩୬ ଜଣ ଛାତ୍ର ପଢୁଛନ୍ତି। ସେମାନଙ୍କ ମଧ୍ୟରୁ ୧୨୦ ଛାତ୍ର ଅନ୍ତେବାସୀ ଭାବେ ରହିବା ଖାଇବା ପାଇଁ ହଷ୍ଟେଲ ବ୍ୟବସ୍ଥା ରହିଛି। ଜିଲାର ବିଭିନ୍ନ ସ୍ଥାନରୁ ଛାତ୍ରମାନେ ଆସି ଏଠାରେ ରହୁଛନ୍ତି। ବିଦ୍ୟାଳୟ ଦୁଇ ମହଲା ବିଶିଷ୍ଟ ହଷ୍ଟେଲ ବିଲ୍ଡିଂ, ଶ୍ରେଣୀ ଗୃହ ସହ ପାଚେରି ମଧ୍ୟ ରହିଛି। ସବୁ ସୁବିଧା ଥାଇ ମଧ୍ୟ ଦୀର୍ଘବର୍ଷ ହେଲା ଜଣେ ସରକାରୀ ଶିକ୍ଷକରେ ଚାଲିଛି ପାଠପଢ଼ା। ଶିକ୍ଷକ ଅନୁପସ୍ଥିତ ରହିଲେ ରୋଷେୟା କାମ ସାରି ପିଲାଙ୍କୁ ପାଠ ମଧ୍ୟ ପଢାନ୍ତି। ଗୋଟିଏ ନଳକୂପ ଥିବାରୁ ଖରାପ ହେଲେ ଛାତ୍ରମାନେ ବାହାରକୁ ଯାଉଛନ୍ତି ଗାଧୋଇବାକୁ। ଗୋଟିଏ ପାଣିପମ୍ପ ଥିବାରୁ ବିଦ୍ୟୁତ୍‌ ସେବା ବ୍ୟାହତହେଲେ ଟାଙ୍କିକୁ ପାଣି ଉଠିବାରେ ଅସୁବିଧା ହେଉଛି। ସମସ୍ୟା ସମ୍ପର୍କରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପାଳ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅବଗତ କଲେ ମଧ୍ୟ ସୁଫଳ ମିଳୁ ନ ଥିବା କହିଛନ୍ତି। ତୁରନ୍ତ ଏହାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏନେଇ ଗଜପତି ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କୁ ପଚାରିବାରୁ ତାହା ଏକ ଅପଗ୍ରେଡ ସ୍କୁଲ, କିନ୍ତୁ ସେଠାରେ ଯେହେତୁ ଛାତ୍ରମାନେ ପାଠ ପଢୁଛନ୍ତି ତେଣୁ ଯଥାଶୀଘ୍ର ୨ଜଣ ଶିକ୍ଷକ ନିୟୋଜିତ କରାଯିବ। ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରି ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।