୧୩ ଆଇଏଏସ୍‌ ଅଧିକାରୀଙ୍କୁ ମେଡିକାଲ କଲେଜ,ହସ୍ପିଟାଲ ସଂଯୋଜନା ଦାୟିତ୍ୱ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ସାରା ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି, ରକ୍ଷଣାବେକ୍ଷଣ, ସାମଗ୍ରିକ ପ୍ରଦର୍ଶନ ଇତ୍ୟାଦି ସମ୍ପର୍କିତ କାର୍ଯ୍ୟର ସଂଯୋଜନା ପାଇଁ ବୁଧବାର ୧୩ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ଏ ନେଇ ଗଣମାଧ୍ୟମକୁ ଅବଗତ କରାଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ(ଏନ୍‌ଟିପିସି) ଏବଂ ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ଦାୟିତ୍ୱରେ ରହିବେ। କୃଷି ଉତ୍ପାଦନ କମିଶନର(ଏପିସି) ପ୍ରଦୀପ୍ତ କୁମାର ମହାପାତ୍ର ବାଲେଶ୍ୱରସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପାଇଁ ସଂଯୋଜକ ଭାବେ କାର୍ଯ୍ୟ କରିବେ। ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମାଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ଦାୟିତ୍ୱ ପ୍ରଦାନ କରାଯାଇଛି।

Share