୧୩ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୧।୫ (ବ୍ୟୁରୋ) : ରାଜ୍ୟରେ ତାତିର ପ୍ରକୋପ କିଛି ମାତ୍ରାରେ ହ୍ରାସ ପାଇଛି। ତଥାପି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର ୧୦ ସହରରେ ପାରଦ ୪୧ ଡିଗ୍ରୀ ସେଲସିୟସ ଉପରେ ରହିଛି। ପୂର୍ବ ଭଳି ଆଉ ଗ୍ରୀଷ୍ମ ପ୍ରବାହ ନାହିଁ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଟିଟିଲାଗଡରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ୪୨.୫, ଝାରସୁଗୁଡା ୪୨.୨, ଭବାନୀପାଟନା ୪୨, ଅନୁଗୋଳ ୪୧.୭, ସମ୍ବଲପୁର ୪୧.୩, ହୀରାକୁଦ ୪୧.୧, ସୁନ୍ଦରଗଡ ୪୧ ଏବଂ ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଉପକୂଳ ଓଡିଶାରେ ତାତି ଓ ଗୁଳୁଗୁଳି ମଧ୍ୟ ସାମାନ୍ୟ ହ୍ରାସ ପାଇଛି। ଆସନ୍ତା ଜୁନ ୫ ତାରିଖ ଯାଏ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ। କେତେକ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୩ଟି ଜିଲାରେ କାଳବୈଶାଖୀଜନିତ ଝଡବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲାଗୁଡିକ ହେଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ ଏବଂ ସମ୍ବଲପୁର। ସେହି ଜିଲାଗୁଡିକର କେତେକ ସ୍ଥାନରେ ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ପବନ ବହିବା ସହ ଘଡଘଡି ଜନିତ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

Share