୧୩ ଦିନରେ ହାଟଡ଼ିହୀ ଅଞ୍ଚଳର ୩ଜଣଙ୍କୁ ମାରିଲାଣି ହାତୀ: ଖୋଜିଖୋଜି ନାକେଦମ ହେଲାଣି ବନବିଭାଗ

ହାଟଡ଼ିହୀ,୧୯।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅଞ୍ଚଳରେ ୧୩ ଦିନ ମଧ୍ୟରେ ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ବନବିଭାଗ ଓ ପ୍ରଶାସନ ଲାଗି ଏହା ଚିନ୍ତାର କାରଣ ପାଲଟିଲାଣି।

ହାତୀକୁ ଧରିବା ପାଇଁ ବନ କର୍ମଚାରୀ ଓ ବାରିପଦାରୁ ଆସିଥିବା ୮ଜଣିଆ ଟିମ୍‌ ନିୟୋଜିତ ହୋଇଛନ୍ତି। ହାତୀ ଏବେ ଜଙ୍ଗଲ ଭିତରକୁ ପଳାଇଥିବାରୁ ତାକୁ ଖୋଜିବା ସମ୍ଭବପର ହେଉନାହିଁ। ତେବେ ହାତୀକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯିବା ସହ ପଦକ୍ଷେପ ନିଆଯାଇଥିବା ଆନନ୍ଦପୁର ଡିଏଫ୍‌ଓ ଅଜିତ୍‌ ଶତପଥୀ କହିଛନ୍ତି।
୨୦୧୭ରେ ହାତୀ ଗଣନା ରିପୋର୍ଟ ଅନୁଯାୟୀ, ଏଠାରେ ଥିବା ହଦଗଡ଼ ଜଙ୍ଗଲରେ ମୋଟ ୩୦ଟି ହାତୀ ଥିଲେ। ତେବେ ଜଙ୍ଗଲ ମଧ୍ୟରେ ପ୍ରାୟ ୧୩ଟି ଗ୍ରାମର ୧ ହଜାରରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ବର୍ତ୍ତମାନ ଜଙ୍ଗଲରେ ଚୋରା କାଠ ବେପାରୀ, ପଥର ବେପାରୀ ଓ ଶିକାରୀଙ୍କ ପ୍ରାଦ୍ୟୁର୍ଭାବ ବୃଦ୍ଧି ପାଉଥିବାରୁ ବନ୍ତଜନ୍ତୁ ଏବେ ଜନବସତି ମୁହାଁ ହୋଇ ଅଘଟଣ ଘଟାଉଥିବା ଚର୍ଚ୍ଚା ହେଉଛି।