Categories: ଜାତୀୟ

୧୩ ପାକ୍‌ ଆତଙ୍କବାଦୀ ନିହତ

ଜମ୍ମୁ,୨।୬: ଭାରତକୁ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିବା ୧୩ ପାକିସ୍ତାନୀ ଆତଙ୍କବାଦୀ ଭାରତୀୟ ସେନାର ଗୁଳିମାଡ଼ରେ ନିହତ ହୋଇଛନ୍ତି। ଏଥିସହ ଏକ ଟେରର୍‌ ଲଞ୍ଚ୍‌ପ୍ୟାଡ୍‌କୁ ମଧ୍ୟ ଧ୍ୱଂସ କରାଯାଇଛି। ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲା ଅନ୍ତର୍ଗତ ମେନ୍ଧାର ସେକ୍ଟରରେ ଏହି ଲଞ୍ଚ୍‌ପ୍ୟାଡ୍‌ ଧ୍ୱଂସ କରାଯାଇଥିବା ବେଳେ ଏଠାରେ ଥିବା ୧୦ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଅନୁରୂପ ଭାବେ ରାଜୌରି ଜିଲା ଅନ୍ତର୍ଗତ ନୌଶେରା ସେକ୍ଟର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ସେନା ଗୁଳିରେ ୩ ପାକିସ୍ତାନ ଆତଙ୍କବାଦୀ ନିହତ ହୋଇଛନ୍ତି। ବିପୁଳ ଅସ୍ତ୍ରଶସ୍ତ୍ର ଧରି ସେମାନେ ସୀମାପାର୍‌ ହେଉଥିବା ବେଳେ ଏଭଳି ଘଟଣା ଘଟିଥିବା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ସେମାନଙ୍କଠାରୁ ୨ଟି ଏକେ ଆସଲ୍ଟ ରାଇଫଲ, ୧୩ ଫିଲ୍ଡ ମାଗାଜିନ, ୯ ଏମ୍‌ଏମ୍‌ ଚାଇନିଜ୍‌ ପିସ୍ତଲ, ଅଣ୍ଡର ବ୍ୟାରେଲ ଗ୍ରେନେଡ୍‌ ଲଞ୍ଚର, ୬ ଗ୍ରେନେଡ୍‌, ୫ ହ୍ୟାଣ୍ଡ ଗ୍ରେନେଡ୍‌, ୨ ଛୁରୀ, ଖାଦ୍ୟ, ଔଷଧ, ୧୭ ହଜାର ଟଙ୍କା ଆଦି ମିଳିଛି। ପାକ୍‌ ସମର୍ଥିତ ଆତଙ୍କବାଦୀମାନେ ଭାରତ ଭିତରକୁ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିବାରୁ ସୀମାରେ ଭାରତୀୟ ସେନାକୁ ସଜାଗ୍‌ ରଖାଯାଇଛି।

Share