୧୩ ବର୍ଷରେ ଏତେ ବଦଳିଗଲେଣି କଙ୍ଗନା

ମୁମ୍ବାଇ: ବଲିଉଡ୍‌ର କୁଇନ କହିଲେ କଙ୍ଗନା ରାଣାଓ୍ବତଙ୍କ ବୁଝାଏ। ଏପରି କହିବା ପଛର ବଡ଼ କାରଣ ହେଲା ଅଭିନୀତ ଚଳଚ୍ଚିତ୍ରଗୁଡ଼ିକରେ କଙ୍ଗନାଙ୍କ ଚରିତ୍ର। ସେ ଚରିତ୍ରଗୁଡ଼ିକୁ ଜିଉଁଥିବା ପରି ମନେହୁଏ। ଇତି ମଧ୍ୟରେ ସେ ବଲିଉଡ୍‌ ସିନେମାଜଗତରେ ୧୩ ବର୍ଷ ବିତାଇସାରିଲେଣି। ବିଗତ ବର୍ଷ ଗୁଡ଼ିକରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ‘ଗ୍ୟାଙ୍ଗଷ୍ଟର’ ଏବଂ ‘କୁଇନ୍‌’ରେ ଉତ୍କୃଷ୍ଟ ଅଭିନୟ ତାଙ୍କୁ ଅନେକ ସଫଳତା ଆଣି ଦେଇଛି। ଅନେକାଂଶରେ ବଦଳିଯାଇଛନ୍ତି ମଧ୍ୟ କଙ୍ଗନା। ଏକଦା ନିଜର କୁଞ୍ଚୁକୁଞ୍ଚିଆ କେଶ ପାଇଁ କଟୁ ମନ୍ତବ୍ୟ ଶୁଣୁଥିବା କଙ୍ଗନାଙ୍କ ରୂପରେ ବହୁତ ପରିବର୍ତ୍ତନ ଆସିଛି। ପୂର୍ବରୁ ସେ ବହୁତ ପତଳା ଥିବା ବେଳେ ଏବେ ସାମାନ୍ୟ ମୋଟା ହୋଇଥିବା ନିଜେ ପ୍ରକାଶ କରନ୍ତି। ଏପରିକି ଚଳଚ୍ଚିତ୍ରରେ ଚରିତ୍ରର ଚାହିଦାନୁଯାୟୀ ସେ ନିଜର କେଶସଜ୍ଜା ବଦଳାଇଥାନ୍ତି। ଯେପରିକି ‘ଓ୍ବାନ୍‌ସ ଅପନ୍‌ ଏ ଟାଇମ ଇନ ମୁମ୍ବାଇ’ରେ ସେ ସିଧା ଚୁଟି ରଖିଥିଲେ। ଏବେ ନିଜର ଫ୍ୟାଶନ୍‌ ସେନ୍ସ ସହ ଫିଟ୍‌ନେସ ଉପରେ ଧ୍ୟାନ ଦେଉଛନ୍ତି ସେ। ପ୍ରତିଦିନ ସେ କିଛି ସମୟ ଯୋଗ କରିବା ସହ ସମୟ ମିଳିଲେ ମେଡିଟେଶନ, ଜିମ୍‌ ଯିବାକୁ ଭୁଲନ୍ତି ନାହିଁ। ଆଗାମୀ ଦିନରେ ତାଙ୍କ ଅଭିନୀତ ‘ଜଜମେଣ୍ଟାଲ ହେ କ୍ୟା’ ରିଲିଜ ହେବାକୁ ଯାଉଛି। ଜୁଲାଇ ୨୬ରେ ଏହା ପରଦାକୁ ଆସିବ। ଏବେ କଙ୍ଗନା ଏହାର ପ୍ରମୋଶନରେ ବ୍ୟସ୍ତ। ଏଥିସହ ସେ ‘ଧାକଡ଼୍‌’ ଫିଲ୍ମର ଶୁଟିଂ ମଧ୍ୟ ଆରମ୍ଭ କରିଛନ୍ତି।

Share