Categories: ଗଞ୍ଜାମ

୧୪ଦିନରେ ମା’ ତାରାଦେବୀ ଠାକୁରାଣୀ ଯାତ୍ରା : ମନମୋହୁଛି ବିଭିନ୍ନ ସାହି ରଥ, କଳାକୁଞ୍ଜ

ବ୍ରହ୍ମପୁର ଅଫିସ,୨ା୬-ବ୍ରହ୍ମପୁରର ଅନ୍ୟତମ ପ୍ରସିଦ୍ଧ ମା’ ତାରାଦେବୀଙ୍କ ଦ୍ୱିବାର୍ଷିକ ଯାତ୍ରା ଶନିବାର ୧୪ ଦିନରେ ପହଞ୍ଚିଛି ା ଏହା ଆଉ ୯ ଦିନ ଯାତ୍ରା ବାକି ରହିଥିବା ବେଳେ ଏବେ ଲାଞ୍ଜିପଲ୍ଳୀ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି ା ରଙ୍ଗୀନ ଆଲୋକମାଳା ଓ ସାଜସଜ୍ଜାରେ ପ୍ରତି ସାହି ଝଲସୁଥିବା ବେଳେ ଯାତ୍ରା ଦାଣ୍ଡକୁ ଓହ୍ଲାଇଛି ବିିଭିନ୍ନ ସାହିର ରଥ ଓ କଳାକୁଞ୍ଜ ା ଶନିବାର ସୁଦ୍ଧା ୩ ସାହିରେ ୩ ରଥ ଓ ଗୋଟିଏ କଳାକୁଞ୍ଜ ଯାତ୍ରା ଦାଣ୍ଡକୁ ଆସିଛି ା ରଥ ଓ କଳାକୁଞ୍ଜ ଦେଖିବାକୁ ଏବେ ସାହିଗୁଡିକରେ ଭିଡ ଜମୁଥିବା ଦେଖିବାକୁ ମିଳିଛି ା ଅନ୍ୟପକ୍ଷରେ ୧୪ତମ ଦିନରେ ସନ୍ଧ୍ୟାରେ ମା’ଙ୍କ ୧୦୮ ଆଳତି ପରେ ବିଭିନ୍ନ ସାହିରେ ଘଟ ପରିକ୍ରମା ଅନୁଷ୍ଠିତ ହୋଇଯାଇଛି ା
ଅନୁସାରେ ଅସ୍ଥାୟୀ ପୀଠ ରଘୁନାଥ ମଠ ସାହିରେ ଭୋରରୁ ମା’ଙ୍କ ପୂଜାର୍ଚ୍ଚନା ସହ ବାଳଭୋଗ, ଦହି ଅନ୍ନଭୋଗ ଲାଗୁ କରାଯାଇଥିଲା। ସନ୍ଧ୍ୟାରେ ମା’ଙ୍କ ୧୦୮ ଆଳତି ପରେ ଅସ୍ଥାୟୀ ପୀଠରୁ ଘଟ ଶୋଭାଯାତ୍ରା ବାହାରିଥିଲା ା ମା’ଙ୍କ ବାପା କୁହାଯାଉଥିବା ଦେଶୀବେହେରା ସାହିର କୁନା ସାବତ ମା’ଙ୍କ ମୁଖ୍ୟଘଟକୁ ମୁଣ୍ଡାଇଥିଲେ। ବାଦ୍ୟ, ବାଜଣା, ଘଣ୍ଟ, ମହିଳାଙ୍କ ହୁଳହୁଳି ନାଦ ମଧ୍ୟ ଅସ୍ଥାୟୀ ପୀଠରୁ ଘଟ ପ୍ରଥମେ ରାଜା ଭାଗବତ ପ୍ରସାଦ ଦେଓ ବାସଭବନକୁ ଯାଇଥିଲା। ସେଠାରେ ପୂଜାର୍ଚ୍ଚନା ପରେ ଘଟ ବିଭିନ୍ନ ସାହି ପରିକ୍ରମା କରିଥିଲା ା ଘଟ ପ୍ରଥମେ ବ୍ରହ୍ମଣସାହି, କାଳିଞ୍ଜି ସାହି ଓ କାଞ୍ଜିଆମ୍ମା ମନ୍ଦିର ଦେଇ ଚାଣକ୍ୟ ନଗର ଦ୍ୱିତୀୟ, ତୃତୀୟ ଲାଇନ, ସାନଭଦ୍ରା ହୁଡା ସାହି ପରିକ୍ରମା କରିଥିଲା ା ଏହାପରେ ଘଟ ପୁଣି ଚାଣକ୍ୟନଗର ଦ୍ୱିତୀୟ, ତୃତୀୟ ଲାଇନ, ପ୍ରଥମ ଲାଇନ, ମାର୍କଣ୍ଡେଶ୍ୱର ନଗର ଦେଇ ଅସ୍ଥାୟୀ ପୀଠକୁ ବାହୁଡି ଥିଲା ା ଉପରୋକ୍ତ ସାହି ପରିକ୍ରମା ବେଳେ ମହିଳାମାନେ ନିଜସ୍ବ ବାସଗୃହ ଆଗରେ ଜଳକୁମ୍ଭ ସ୍ଥାପନ ସହ ମୁଖ୍ୟ ଘଟଧାରୀଙ୍କ ପାଦରେ ହଳଦୀ, କର୍ପୁର ମିଶା ପାଣି ଢାଳି ପୂଜାର୍ଚ୍ଚନା କରିଥିଲେ ା ଅନ୍ୟପକ୍ଷରେ ଯାତ୍ରା ପରମ୍ପରା ଅନୁସାରେ ବିଭିନ୍ନ ସାହି ପକ୍ଷରୁ ପ୍ରସ୍ତୁତ ରଥ ଓ କଳାକୁଞ୍ଜ ଯାତ୍ରା ଦାଣ୍ଡକୁ ଓହ୍ଲାଇବା ଆରମ୍ଭ ହୋଇଛି ା
ଶନିବାର ସୁଦ୍ଧା ଚାଣକ୍ୟ ନଗରର ରାମ ରଥ, ତୋଟା ସାହିରେ ହନୁମାନ ରଥ ଓ ସାନ ଜ୍ୱଳାମୁଖୀ ରଥ ଏବଂ କେଶବ ନଗରର ଠାକୁରାଣୀ କଳାକୁଞ୍ଜ ଯାତ୍ରା ଦାଣ୍ଡକୁ ଓହ୍ଲାଇଥିବା ଯାତ୍ର କମିଟି ପକ୍ଷରୁ କୁହାଯାଇଛି। ମା’ ତାରାଦେବୀ ଠାକୁରାଣୀ ଯାତ୍ରା କମିଟି ସଭାପତି ଭଗବତ ପ୍ରସାଦ ସିଂ ଦେଓ, ସମ୍ପାଦକ ହୃଷୀକେଶ ପାତ୍ର, ସଂଗଠକ କାହ୍ନୁଚରଣ ଚୌଧୁରୀ, ସହକାରୀ ସମ୍ପାଦକ ସୀମାଦ୍ରୀ ପାତ୍ର, ସଦସ୍ୟ ଲଡୁକିଶୋର ପାଣିଗ୍ରାହୀଙ୍କ ସମେତ ସମସ୍ତ କମିଟି ସଦସ୍ୟ ଯାତ୍ରା ପରିଚାଳନା ସହଯୋଗ କରୁଛନ୍ତି ା