୧୪୦୦ରୁ ଅଧିକ ସନ୍ତାନଙ୍କ ଜନନୀ ସିନ୍ଧୁତାଇ

ମୁମ୍ବାଇ,୧୦।୫: ଜଣେ ମହିଳା ପୁଣି ସେ ୧୪୦୦ରୁ ଅଧିକ ସନ୍ତାନଙ୍କ ଜନନୀ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ମହାରାଷ୍ଟ୍ରର ସିନ୍ଧୁତାଇ ୧୪୦୦ରୁ ଅଧିକ ଅନାଥ ଶିଶୁଙ୍କ ଜନନୀ ପାଲଟିଛନ୍ତି। ମା ଭଳି ସେମାନଙ୍କ ଦେଖାଶୁଣା କରୁଛନ୍ତି। ସିନ୍ଧୁତାଇଙ୍କ ଜନ୍ମ ଓ୍ବର୍ଦ୍ଧାର ଏକ ଗରିବ ପରିବାରରେ ହୋଇଥିଲା। ତେଣୁ ତାଙ୍କୁ ବହୁ ଭେଦଭାବର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପାଠ ପଢ଼ିବା ପାଇଁ ତାଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା। ତେବେ ତତ୍‌ କାଳୀନ ସାମାଜିକ ପରମ୍ପରା ଅନୁସାରେ ତାଙ୍କୁ ୧୨ ବର୍ଷ ବୟସରେ ବିବାହ କରିବାକୁ ପଡ଼ିଥିଲା। ତାଙ୍କ ସ୍ବାମୀଙ୍କ ବୟସ ସେତେବେଳ ୨୦ ଥିଲା। ବିବାହ ପରେ ସେ ନଓ୍ବରଗାଓ୍ବଁରେ ତାଙ୍କ ଶାଶୁଘରେ ରହିଥିଲେ। ତେବେ ବହୁ ସମୟରେ ସ୍ବାମୀଙ୍କ ନିର୍ଯାତନା ସିନ୍ଧୁତାଇଙ୍କୁ ସହ୍ୟ କରିବାକୁ ପଡୁଥିଲା। ପରେ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଅସିଥିଲା। ସେ ସାମାଜିକ କାର୍ଯ୍ୟରେ ସମୟ ଦେବାକୁ ଆରମ୍ଭ କଲେ। ପରେ ସେ ଅନାଥ ଶିଶୁଙ୍କ ଦେଖାଶୁଣା ଆରମ୍ଭ କରିଥିଲେ। ତାଙ୍କର ସମାଜ ସେବା ଯୋଗୁ ଇତିମଧ୍ୟରେ ସିନ୍ଧୁତାଇଙ୍କୁ ୨୭୦ରୁ ଅଧିକ ପୁରସ୍କାର ମିଳିସାରିଛି। ୨୦୧୭ରେ ରାଷ୍ଟ୍ରପତି ତାଙ୍କୁ ନାରୀ ଶକ୍ତି ସମ୍ମାନରେ ସମ୍ମାନୀତ କରିଛନ୍ତି।

Share