୧୪୦ ହିନ୍ଦୁଙ୍କୁ ଅଟକାଇଲା ତାଲିବାନ୍‌

କାବୁଲ,୨୬।୮: ଦେଶ ଛାଡ଼ିବା ପାଇଁ ବିମାନ ବନ୍ଦରକୁ ଯାଉଥିବା ବାଟରେ ତାଲିବାନୀ ଯୋଦ୍ଧାମାନେ ଅତିକମ୍‌ରେ ହିନ୍ଦୁ ଓ ଆଫଗାନ୍‌ ଶିଖଙ୍କ ସମେତ ୧୪୦ ଜଣଙ୍କୁ ଅଟକ ରଖିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ବିଶ୍ୱ ଫୋରମ ସଭାପତି ପୁନୀତ ସିଂ। ଏଥି ଯୋଗୁ ଆଇଏଏଫ୍‌ ବିମାନର ଉଡାଣରେ ବିଳମ୍ବ ହୋଇଛି। ଭାରତ ଫେରିବା ପାଇଁ ବୁଧବାରଠାରୁ କାବୁଲ ବିମାନ ବନ୍ଦରରେ ଅପେକ୍ଷା କରିଛି ଏହି ବିମାନ।

ଭାରତୀୟ ବିଶ୍ୱ ଫୋରମ ପକ୍ଷରୁ କୁହାଯାଇଛି, ବିମାନ ବନ୍ଦର ବାହାରୁ ଭାରତୀୟ ଯାତ୍ରୀଙ୍କୁ ତାଲିବାନ୍‌ ଫେରାଇ ଦେଇଛି। ଉଦ୍ଧାର କାର୍ଯ୍ୟରେ ନିଯୁକ୍ତ ଥିବା ଆଇଏଏଫ୍‌ର ସ୍ବତନ୍ତ୍ର ବିମାନ ହିନଡନ ଏୟାରବେସରେ ଗୁରୁବାର ସକାଳେ ପହଞ୍ଚିବାର ଥିଲା। କିନ୍ତୁ ତାଲିବାନ୍‌ କାରଣରୁ ବୈଦେଶିକ ମନ୍ତ୍ରଣାଳୟ (ଏମ୍‌ଇଏ) ଓ ଭାରତୀୟ ବାୟୁ ସେନା (ଆଇଏଏଫ୍‌)ର ମିଳିତ ଉଦ୍ୟମରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ଏପର୍ଯ୍ୟନ୍ତ ଆଫଗାନିସ୍ତାନରୁ ୫୬୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ଭାରତୀୟ ଏମ୍ବାସିର ୧୭୫ ଜଣ ଅଧିକାରୀ, ୨୬୩ ଭାରତୀୟ ନାଗରିକ ଓ ୧୧୨ ଆଫଗାନ ନାଗରିକ ରହିଛନ୍ତି। ବିମାନ ବନ୍ଦର ରାସ୍ତାରେ ବିଭିନ୍ନ ସ୍ଥାନରେ ଚାଲିଥିବା ଚେକିଂ, ଅବତରଣ ଲାଗି ଅନୁମତି ମିଳିବାରେ ବିଳମ୍ବ, ତା’ ସାଙ୍ଗକୁ ବିମାନ ବନ୍ଦର ପାଖରେ ଓ ଭିତରେ ନିୟମିତ ଗୁଳି ବର୍ଷା କରାଯାଉଥିବାରୁ ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି।

Share