୧୪୨ ୟୁନିଟ୍‌ ରକ୍ତ ସଂଗ୍ରହ

ଅନୁଗୋଳ ଅଫିସ/ଆଠମଲ୍ଲିକ/  ଢେଙ୍କାନାଳ ଅଫିସ, ୧୬।୪:  ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରକ୍ତ ଅଭାବ ଦୂର ପାଇଁ ଅନୁଗୋଳ ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଖଲାରୀ ପଞ୍ଚାୟତ ଗଡ଼ପଦା ସାହି ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜନ ହୋଇଥିଲା। ଅନୁଗୋଳ ବିଜୁ ଜନତା ଦଳର ସଭାପତି ମହେନ୍ଦ୍ର କୁମାର ବସ୍ତିଆ, ଯୁବନେତା ଅରୁଣାଭ ସିଂହ, ଅନୁଗୋଳ ବ୍ଲକ ସଭାପତି ସରୋଜ କୁମାର ନାରାୟଣ ସାହୁ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ୫୦ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ସେହିପରି ଆଠମଲ୍ଲିକ ବ୍ଲକ ଠାକୁରଗଡ଼ର ୟୁଥ୍‌ପାୱାର ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବୁଧବାର ଉପଖଣ୍ଡ ଡାକ୍ତରଖାନାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ସଭାପତି ସୁନୀଲ କୁମାର ସାହୁଙ୍କ ନେତୃତ୍ୱରେ ୩୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଭଣ୍ଡାର ଅଧୀକ୍ଷକ ଡା. ସୁନୀଲ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଶିବିରରେ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ଶତ୍ରୁଘ୍ନ ସାହୁଙ୍କ ସମେତ ୩୫ ଜଣ ସାମାଜିକ କର୍ମୀ ରକ୍ତଦାନ କରିଥିଲେ। ସେହିପରି ଢେଙ୍କାନାଳ ଜିଲା ଛାତ୍ର ବିଜେଡି ପକ୍ଷରୁ ରକ୍ତଭଣ୍ଡାର ପରିସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୫୭ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ସୁଧୀର ସାମଲଙ୍କ ପରାମର୍ଶରେ ଏହି ଶିବିର ଆୟୋଜିତ ହୋଇଥିଲା। ଶିବିରକୁ ଜିଲା ରକ୍ତଭଣ୍ଡାର ଅଧିକାରୀ ଡା. ଜୟ ନାରାୟଣ ପାଢୀ, ରକ୍ତଦାତା ଅନୁପ୍ରେରକ ସଂଘ ସଭାପତି ବିରଞ୍ଚତ୍ ନାରାୟଣ ପାଣି, ରାଜେନ୍ଦ୍ର ମଲ୍ଲିକ, ପରମାନନ୍ଦ ପଣ୍ଡା, ଜିଲା ଛାତ୍ର ବିଜେଡି ସଭାପତି ସୂରଯ ମହାପାତ୍ରଙ୍କ ନେତୃତ୍ୱରେ ସୋନୁରାମ ସିଂ, ଆଶୁତୋଷ କର ପ୍ରମୁଖ ଶିବିର ପରିଚାଳନା କରିଥିଲେ।