Categories: ଜାତୀୟ

୧୪୩ ପିଟିଶନର ଶୁଣାଣି ଆଜି

ନୂଆଦିଲ୍ଲୀ,୨୨ା୧(ପି.ଟି.): ସିଏଏର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ୧୪୩ଟି ପିଟିଶନର ଶୁଣାଣି ବୁଧବାର ସୁପ୍ରିମକୋର୍ଟରେ ହେବ। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଅବ୍‌ଦୁଲ ନଜିର ଓ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ଆବେଦନଗୁଡ଼ିକର ବିଚାର କରିବେ।
ସଂଶୋଧନ ଆଇନ, ୨୦୧୯ ଅନୁସାରେ ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ଅତ୍ୟାଚାରର ଶିକାର ହୋଇ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଭାରତକୁ ଆସିଥିବା ସଂଖ୍ୟାଲଘୁ ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ। ହିନ୍ଦୁ, ଶିଖ୍‌, ବୌଦ୍ଧ, ଖ୍ରୀଷ୍ଟିୟାନ, ଜୈନ ଓ ପାର୍ସୀଙ୍କୁ ଭାରତର ନାଗରିକତ୍ୱ ମିଳିବାକୁ ଥିବାବେଳେ ମୁସ୍‌ଲିମ ସମ୍ପ୍ରଦାୟକୁ ଏଥିରୁ ବାଦ୍‌ ଦିଆଯାଇଛି। ତେଣୁ ଏହାକୁ ରାଜନୈତିକ ଦଳ, ନେତା, ଏନ୍‌ଜିଓ ସମେତ ଅନେକ ସଂସ୍ଥା ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି। ଏପରି କି ଜାନୁୟାରୀ ୧୦ରୁ କାର୍ଯ୍ୟକାରୀ ହୋଇଥିବା ଏହି ଆଇନ ଉପରେ ସ୍ଥଗିତାଦେଶ ଜାରି ପାଇଁ ମଧ୍ୟ ଅନେକ ଆବେଦନକାରୀ ଅଦାଲତଙ୍କୁ ଅନୁରୋଧ କରିଥିଲେ। ତିନିଜଣିଆ ଖଣ୍ଡପୀଠ ଗତ ଡିସେମ୍ବର ୧୮ରେ ଇଣ୍ଡିଆନ୍‌ ୟୁନିୟନ୍‌ ଅଫ୍‌ ମୁସ୍‌ଲିମ୍‌ ଲିଗ୍‌ (ଆଇୟୁଏମ୍‌ଏଲ୍‌) ଓ କଂଗ୍ରେସ ନେତା ଜୟରାମ ରମେଶଙ୍କ ସମେତ ଆବେଦନକାରୀମାନଙ୍କ ୧୪୩ ପିଟିଶନର ଶୁଣାଣି ଲାଗି ରାଜି ହେବା ସହ କେନ୍ଦ୍ର ସରକାରଙ୍କୁ ନୋଟିସ କରିଥିଲେ।

Share