୧୪ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଉପରେ ଉତ୍ତର ବିହାରରୁ ଦକ୍ଷିଣ ଝାଡଖଣ୍ଡ ଏବଂ ଉତ୍ତର ଛତିଶଗଡ ଉପରେ ଏକ ଟ୍ରପ୍‌ ଲାଇନ ସୃଷ୍ଟିି ହୋଇଛି। ଏଥିସହିତ ତେଲଙ୍ଗାନା ଓ ବିଦର୍ଭ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଗତ ୩/୪ ଦିନ ହେବ ରାଜ୍ୟର ବିଭିନ୍ନ ଜିଲାରେ ଝଡ଼ବର୍ଷା ଲାଗି ରହିଛିି। ଆସନ୍ତା ୩୦ ତାରିଖ ଯାଏ ପାଗ ଏଭଳି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିଯୋଗୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବାୈଦ୍ଧ, ଭଦ୍ରକ, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୂରଭ, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡା ଏବଂ ଝାରସୁଗଡାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ୪୦ରୁ ୫୦ କି.ମି. ବେଗରେ ପବନ ବହିବ। ଏସବୁ ଜିଲା ପାଲଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ନିଂ ଜାରି କରିଛି। ଏଥିସହିତ ସୁନ୍ଦରଗଡ, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ସବୁ ଜିଲା ପାଇଁ ଏଲୋୱାର୍ନିିଂ ଜାରି କରାଯାଇଛି।
ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲା କୋଷାଗୁମୁଡାରେ ସର୍ବାଧିକ ୬ ସେଣ୍ଟିିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କେନ୍ଦ୍ରାପଡା ଜିଲା ଗରଦପୁର, ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲଠାରେ ୫, କୁଜଙ୍ଗ ଓ ମାର୍ଶାଘାଇରେ ୪, ଯାଜପୁର, ଭଦ୍ରକ ଜିଲା ଚାନ୍ଦବାଲି, କେନ୍ଦ୍ରାପଡାର ରାଜକନିକା, ବାଲେଶ୍ୱରର ଜଳେଶ୍ୱରରେ ୪ ସେଣ୍ଟିମିଟର ଲେଖାଏ ବର୍ଷା ରେକର୍ଡ କରାଯାଇଛି। ସେହିପରି ଅନ୍ୟାନ୍ୟ ଭାଗରେ ମଧ୍ୟ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଝଡବର୍ଷା ଲାଗି ରହୁଥିବାରୁ ରାଜ୍ୟରେ ତାତି ହ୍ରାସ ପାଇଛି। ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ତଳେ ରହୁଛି। ଆସନ୍ତା ୩୦ ତାରିଖ ଯାଏ ଉପକୂଳ ଓଡିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବା ବେଳେ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ରୁ ୪୧ ଡିଗ୍ରୀ ସେଲସିୟସ୍‌ ଉପରେ ରହିବ ବୋଲି ଅନୁମାନ କରାଯାଇଛି।
ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଘଡଘଡି ସହ ବର୍ଷା ହୋଇଛି। ସନ୍ଧ୍ୟା ୫ଟା ୪୫ ମିନିଟରୁ ୮ଟା ୩୦ ଯାଏ ତୁହାକୁ ତୁହା ବର୍ଷା ଲାଗି ରହିଥିଲା।

Share