୧୪ ଦଫା ଦାବିରେ ଅଙ୍ଗନୱାଡି କର୍ମୀଙ୍କ ଧାରଣା

ଖୋର୍ଦ୍ଧା ଅଫିସ,୪।୧୧: ଅଲ୍‌ ଓଡ଼ିଶା ଅଙ୍ଗନୱାଡି ମହିଳା କର୍ମୀଙ୍କ ପକ୍ଷରୁ ସୋମବାର ଖୋର୍ଦ୍ଧା ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଛି। ଏ ନେଇ ଅଙ୍ଗନୱାଡି କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ୧୪ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିଗୁଡ଼ିକ ମଧ୍ୟରେ ଅଙ୍ଗନୱାଡି କର୍ମୀ, ସହାୟିକା ଓ ମିନି ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ସରକାରୀ କର୍ମଚାରୀ ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ସର୍ବନିମ୍ନ ୧୮ ହଜାର ଟଙ୍କା ଓ ସହାୟିକାଙ୍କ ପାଇଁ ୯ ହଜାର ଟଙ୍କା ପ୍ରଦାନ ବ୍ୟବସ୍ଥା, ସୁପର୍‌ଭାଇଜର୍‌ ପଦବୀକୁ କେବଳ ଅଙ୍ଗନୱାଡି କର୍ମୀଙ୍କୁ ପଦୋନ୍ନତି, ମିନି ଅଙ୍ଗନୱାଡି କର୍ମୀଙ୍କୁ ଅଙ୍ଗନୱାଡି କର୍ମୀର ମାନ୍ୟତା ସହ ମିନି ଅଙ୍ଗନୱାଡି କେନ୍ଦ୍ରରେ ଜଣେ ସହାୟିକା ନିଯୁକ୍ତି, ଗାଁ କଲ୍ୟାଣ ସମିତି କାର୍ଯ୍ୟଗୁଡିକରୁ ଅଙ୍ଗନୱାଡି କର୍ମୀଙ୍କୁ ବାଦ୍‌, କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା, ପରିବାରରୁ ଜଣଙ୍କୁ ଚାକିରି ଆଦି ଅନ୍ତର୍ଭୁକ୍ତ। ଅଲ୍‌ ଓଡ଼ଶା ଅଙ୍ଗନୱାଡି ୱାର୍କର୍ସ ଆସୋସିଏଶନର ଖୋର୍ଦ୍ଧା ଜିଲା ସମ୍ପାଦିକା ବନିତାଞ୍ଜଳି ଦାସ, ସଭାନେତ୍ରୀ ପ୍ରଭାତି ମଙ୍ଗରାଜ, ବିଜୟ ପାତ୍ର, ଶାନ୍ତିଲତା ସେଠୀ, ଗଣେଶ୍ୱର ଦାସ, କୁଞ୍ଜଲତା ଦାସ ପ୍ରମୁଖଙ୍କ ନେତୃତ୍ୱରେ ହଜାରେରୁ ଊର୍ଦ୍ଧ୍ୱ କର୍ମୀ ବିକ୍ଷୋଭରେ ସାମିଲ ହୋଇଥିଲେ ।