୧୪ ଦିନରୁ ୨୧ ଦିନ ବଢ଼ିପାରେ କ୍ୱାରାଣ୍ଟାଇନ ଅବଧି

ଭୁବନେଶ୍ୱର,୭।୫(ବ୍ୟୁରୋ): ବଢ଼ିପାରେ ପ୍ରବାସୀମାନଙ୍କ କ୍ୱାରାଣ୍ଟାଇନ୍‌ ଅବଧି। ପୂର୍ବ ନିର୍ଦ୍ଧାରିତ ୧୪ ଦିନର ଅବଧିକୁ ୨୧ ଦିନକୁ ବଢ଼ାଇବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ପରାମର୍ଶଦାତା କେ. ଶ୍ରୀନାଥ ରେଡ୍ଡୀ ଗୁରୁବାର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂରେ ଆୟୋଜିତ ସମୀକ୍ଷା ବୈଠକରେ ଆଲୋଚନା ବେଳେ ସେ ଏହି ପରାମର୍ଶ ଦେଇଥିବା ସୂଚନା ମିଳିଛି। ଏଥିସହ ସାମାଜିକ ଦୂରତା ସହ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ ସେ କହିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପରିଷଦର ସଦସ୍ୟ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ, ଜିଲାପାଳ ଏବଂ ଏସ୍‌ପିମାନେ ଯୋଗ ଦେଇଥିଲେ।

କରୋନାର ଟୀକା ବାହାରି ନ ଥିବାରୁ ଲୋକମାନଙ୍କୁ ସଚେତନ ହେବାକୁ ପଡ଼ିବ। ଜନସାଧାରଣଙ୍କ ସହଯୋଗ ଏବଂ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଏହାକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି। ତେବେ ନାକ, ପାଟି ଏବଂ ଆଖି ଦ୍ୱାରା ସଂକ୍ରମଣ ହେଉଥିବାରୁ ବାରମ୍ବାର ହାତ ଧୋଇବାକୁ ଏବଂ ମୁହଁରେ ମାସ୍କ ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି। ଆଇସୋଲେଶନ, କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ବହୁ ସଂଖ୍ୟାରେ ଟେଷ୍ଟିଂ ଦ୍ୱାରା କରୋନାର ମୁକାବିଲା କରାଯାଇପାରିବ ବୋଲି ସେ କହିଛନ୍ତି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

Share