Categories: ବାଣିଜ୍ୟ

୧୪ ଦିନ ଭିତରେ ମିଳିବ କିଷାନ କ୍ରେଡିଟ୍‌ କାର୍ଡ

ନୂଆଦିଲ୍ଲୀ,୧୪-୬: ବହୁ ଚାଷୀ ଏବେ ସୁଦ୍ଧା ସଂସ୍ଥାଗତ ଋଣରୁ ବଞ୍ଚତ୍ତ ହେଉଥିବାରୁ ଆବେଦନ ପାଇବାର ୧୪ ଦିନ ଭିତରେ ଯୋଗ୍ୟ ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ(କେସିସି) ପ୍ରଦାନ କରିବାକୁ କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଦେଶରେ ୬.୯୫ କୋଟି କିଷାନ କ୍ରେଡିଟ କାର୍ଡ ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥାରେ ଚାଷୀଙ୍କୁ ସବ୍‌ସିଡିରେ ସରକାର ଋଣ ପ୍ରଦାନ କରିଥାନ୍ତି। କେସିସିର ବିସ୍ତାର କରି ପଶୁପାଳନ ଏବଂ ମତ୍ସ୍ୟ ଚାଷକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। କୃଷି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡଲି ଚକ୍ରବର୍ତ୍ତୀ ବ୍ୟାଙ୍କଗୁଡ଼ିକୁ ଏଥିନେଇ ପତ୍ର ଲେଖିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଏବେ ସୁଦ୍ଧା ବଡ଼ ସଂଖ୍ୟାରେ ଚାଷୀ ରହିଛନ୍ତି, ଯେଉଁ ମାନଙ୍କୁ ସଂସ୍ଥାଗତ ଋଣ ମିଳୁନାହିଁ। କାରଣ ସେମାନଙ୍କୁ କେସିସି ଜାରି କରାଯାଇ ନାହିଁ। ଅଥବା ପୂର୍ବରୁ ଜାରି କରାଯାଇଥିବା କେସିସି ଡିଫଲ୍ଟ/ଏନ୍‌ପିଏ ହୋଇଛି କିମ୍ବା ବିଭିନ୍ନ କାରଣରୁ ଏହା ନିଷ୍କ୍ରିୟ ରହିଛି। କେସିସିରେ ପ୍ରାପ୍ତ ଋଣ ସବ୍‌ସିଡିଯୁକ୍ତ ହେଉଥିବାରୁ ଚାଷୀଙ୍କ ଆଧାର ନମ୍ବରକୁ ବ୍ୟାଙ୍କ ନିଜ ପାଖରେ ରଖିବେ। ସାଧାରଣତଃ ବ୍ୟାଙ୍କ ୯ ପ୍ରତିଶତ ହାରରେ ଚାଷୀଙ୍କୁ ଫସଲ ଋଣ ଦେଇଥାନ୍ତି। କିନ୍ତୁ ସରକାର ଏଥିରେ ୨ ପ୍ରତିଶତ ସବ୍‌ସିଡି ଦେବାକୁ ସ୍ଥିର କରିଛନ୍ତି। ଫଳରେ କେସିସିରେ ପଞ୍ଜୀକୃତ ଚାଷୀଙ୍କୁ ୭% ହାରରେ ଋଣ ମିଳିବ। ଏହା ସ୍ବଳ୍ପ ମିଆଦି ହେବ ଏବଂ ନିଶ୍ଚିତ ଅବଧି ମଧ୍ୟରେ ଋଣ ପୈଠ କରିବା କ୍ଷେତ୍ରରେ ଆହୁରି ୩% ଅତିରିକ୍ତ ପ୍ରୋତ୍ସାହନ ଦିଆଯିବ। ଫଳରେ ପ୍ରଭାବୀ ସୁଧ ହାର ୪% ରହିଯିବ।

Share