୧୪ ଦିନ ମଧ୍ୟରେ ବିଦେଶରୁ କିମ୍ବା ଓଡ଼ିଶା ବାହାରୁ ଫେରିଥିଲେ ଘରେ ରହିବାକୁ ପରାମର୍ଶ, ସ୍ବାସ୍ଥ୍ୟ ସମସ୍ୟା ହେଲେ ୧୦୪ନଂ ଫୋନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨।୪(ବ୍ୟୁରୋ): ଯେଉଁମାନେ ବିଦେଶରୁ କିମ୍ବା ଓଡ଼ିଶା ବାହାର ରାଜ୍ୟରୁ ଗସ୍ତ ସାରି ଗତ ୧୪ ଦିନ ମଧ୍ୟରେ ଫେରିଛନ୍ତି, ସେମାନଙ୍କୁ ଘରେ ରହିବାକୁ ପରାମର୍ଶ। ଅଲଗା ଘରେ ରୁହନ୍ତୁ। ନିଜ ପରିବାର ସଦସ୍ୟଙ୍କ ସହ ୧ ମିଟର ଦୂରରେ ରହି କଥାବାର୍ତ୍ତା କରନ୍ତୁ। ୧୪ ଦିନ ସରିବା ପରେ ଆଉ ୧୪ ଦିନ ନିଜ ସ୍ବାସ୍ଥ୍ୟର ଲକ୍ଷଣ ନିଜେ ମନିଟର କରନ୍ତୁ। ଯଦି ଏହି ସମୟରେ ଥଣ୍ଡା, କାଶ, ଜ୍ୱର ଅଥବା ନିଶ୍ୱାସ ନେବାରେ କଷ୍ଟ ହେଉଥାଏ ତେବେ ସେ ନିଜେ ଘରୁ ବାହାରି ଡାକ୍ତରଖାନା ଆସନ୍ତୁ ନାହିଁ। ୧୦୪ ନଂକୁ କଲ୍‌ କରନ୍ତୁ। ଟେଲିଫୋନରେ ଯୋଗାଯୋଗ କରିବା ପରେ ଡାକ୍ତରମାନେ ଚିକିତ୍ସା ନେଇ ପରାମର୍ଶ ଦେବେ। ଆବଶ୍ୟକ ସ୍ଥଳେ କୋଭିଡ-୧୯ ଯାଞ୍ଚ କରିବା ଭଳି ଅନୁଭବ ହେଲେ ରୋଗୀଙ୍କୁ ସରକାର ଗାଡ଼ି ପଠାଇ ଡାକ୍ତରଖାନା ଆଣିବେ। ଏଭଳି କଲେ ନିଜକୁ, ନିଜ ପରିବାରକୁ ଏବଂ ସମାଜକୁ କରୋନା କବଳରୁ ରକ୍ଷା କରିପାରିବେ। ଯଦି ଲକ୍ଷଣ ଅନୁସାରେ କୋଭିଡ-୧୯ ପଜିଟିଭ୍‌ ଆସିଲେ କୋଭିଡ-୧୯ ହସ୍ପିଟାଲ ନଚେତ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯିବ। ସୁସ୍ଥ ହେବା ପରେ ଘରକୁ ପଠାଯିବ। ସେବେ ମଧ୍ୟ ସେ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ନିଜ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ରଖିବେ ବୋଲି ଗୁରୁବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶାଳିନୀ ପଣ୍ଡିତ ସୂଚନା ଦେଇ କହିଛନ୍ତି।

Share