Categories: ଜାତୀୟ

୧୪ ବର୍ଷରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ; ୨୮ ଶହ କୋଟି ଖର୍ଚ୍ଚ ପରେ ବି ମାୟାନଗରୀ ବର୍ଷାରେ ହେଉଛି ଉବୁଟୁବୁ

ମୁମ୍ବାଇ,୭।୭: ମୌସୁମୀକୁ ଦେଶସାରା ଅପେକ୍ଷା କରୁଥିବାବେଳେ ଏହାକୁ ନେଇ ମାୟାନଗରୀ ମୁମ୍ବାଇର ଲୋକେ ଭୟ କରିଥାନ୍ତି। ପ୍ରତିବର୍ଷ ବର୍ଷା ଋତୁରେ ପାଣିରେ ଏହି ସହର ଉବୁଟୁବୁ ହୋଇଥାଏ। ଗତ ୧୪ ବର୍ଷ ମଧ୍ୟରେ ଏହା ଯୋଗୁ ଏଠାରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୨୦୦୫ ଜୁଲାଇ ୨୬ରେ ପ୍ରବଳ ବର୍ଷା ଯୋଗୁ ଏଠାରେ ଏକ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ମିଠି, ଦହିସର, ପୋଇସର, ଓସିବସ୍‌ ଏବଂ ଓ୍ବାଲଭଟ୍‌ ନଦୀରେ ବନ୍ୟା ଆସିବାରୁ ସ୍ଥିତି ଅଧିକ ସଙ୍କଟ ଜନକ ହୋଇଥିଲା। ଇତିମଧ୍ୟରେ ସହରରେ ବର୍ଷା ଜଳ ନିଷ୍କାସନ ପାଇଁ ୨୮ ଶହ ୧୫ କୋଟି ଟଙ୍କା ଖର୍ଚ୍ଚ ଯାଇଛି। ତେବେ ମଧ୍ୟ ବର୍ଷାରେ ଏଠାକାର ଅବସ୍ଥା ବେହାଲ୍‌ ହେବାରେ ଲାଗିଛି। ସ୍ଥିତିରେ ଏପର୍ଯ୍ୟନ୍ତ କୌଣସି ସୁଧାର ହୋଇପାରୁନି। ତେବେ ନାଳ ଗୁଡ଼ିକର ନିୟମିତ ସଫା କରା ନ ଯିବା ତଥା ନଦୀ କୂଳ ଗୁଡ଼ିକରେ ବିଭିନ୍ନ ବର୍ଜ୍ୟବସ୍ତୁ ଜମା ହେବାଦ୍ୱାରା ବର୍ଷା ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଥିବାରୁ ଏପରି ଅବସ୍ଥା ସୃଷ୍ଟି ହେଉଥିବା କୁହାଯାଉଛି। ଏନେଇ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ମାତ୍ର ସଚେତନତା ଅଭାବରୁ ପ୍ରତିବର୍ଷ ମାୟାନଗରୀରେ ଲୋକେ ଜଳବନ୍ଦୀ ହେଉଥିବା ଜଳସେଚନ ବିଭାଗ ପକ୍ଷରୁ କୁହାଯାଇଛି।

Share