୧୪ ବର୍ଷ ବୟସ୍କା ନାବାଳିକାଙ୍କ ବିବାହକୁ ବୈଧ କହିଲେ ପାକିସ୍ତାନ କୋର୍ଟ

ଇସଲାମାବାଦ୍‌,୮।୨: ପାକିସ୍ତାନର ଏକ କୋର୍ଟ ଜଣେ ୧୪ ବର୍ଷ ବୟସ୍କା ଖ୍ରୀଷ୍ଟିଆନ୍‌ ନାବାଳିକାଙ୍କ ବିବାହକୁ ବୈଧ ବୋଲି କହିଛନ୍ତି। ନାବାଳିକା ଜଣକ ଋତୁମତୀ ହୋଇଥିବାରୁ ଏହି ବିବାହ ଶରିୟତ୍‌ ଆଇନ ଅନୁସାରେ ବୈଧ ବୋଲି କୋର୍ଟ ରାୟ ଦେଇଛନ୍ତି। ଗତବର୍ଷ ଅକ୍ଟୋବରରେ ସିନ୍ଧ୍‌ ପ୍ରଦେଶରେ ନାବାଳିକା ଜଣଙ୍କୁ ଅପହରଣ କରାଯାଇ ଧର୍ମପରିବର୍ତ୍ତନ କରାଯିବା ସହିତ ଜଣେ ମୁସଲମାନ୍‌ ଯୁବକ ବିବାହ କରିଥିଲେ। ଏନେଇ ନାବାଳିକା ପିତା ଅବଦୁଲ୍‌ ଜବାରଙ୍କ ବିରୋଧରେ ଅପହରଣ ଏବଂ ଜୋର୍‌ ଜବରଦସ୍ତ ବିବାହ ଅଭିଯୋଗ କରିଥିଲେ। ତେବେ ନିମ୍ନ ଅଦାଲତଙ୍କ ଏହି ରାୟକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ୍‌ କରାଯିବ ବୋଲି ନାବାଳିକାଙ୍କ ପିତାଙ୍କ ଆଇନଜୀବୀ ତବସୁମ୍‌ ୟୁସୁଫ୍‌ କହିଛନ୍ତି। ସିନ୍ଧ୍‌ରେ ୧୮ ବର୍ଷରୁ କମ୍‌ ନାବାଳିକାଙ୍କ ବିବାହ ଉପରେ କଟକଣା ଜାରି କରାଯାଇଛି। ମାତ୍ର ଏହାର ଉଲ୍ଲଂଘନ କରାଯାଇଥିବା ନାବାଳିକାଙ୍କ ପିତାଙ୍କ ଆଇନଜୀବୀ କହିଛନ୍ତି।

Share