୧୪ ମାସ ହେଲା ଛାତ୍ରୀ ନିବାସରେ ତାଲା

ବସ୍ତା,୨୦।୭(ସ୍ବ.ପ୍ର.): ବାଲେଶ୍ୱର ଜିଲା ଜାମଶୂଳୀ  ବ୍ଲକ ଜାମଶୂଳୀସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଏକମାତ୍ର ଛାତ୍ରୀନିବାସ ୧୪ ମାସ ହେଲା ବନ୍ଦ ରହିଛି। କଲେଜ କର୍ତ୍ତୃପକ୍ଷ ଛାତ୍ରୀନିବାସ ଆନୁଷଙ୍ଗିକ ମରାମତି ଆବଶ୍ୟକ ଦର୍ଶାଇ ଏଭଳି ପଦକ୍ଷେପ ନେଇଛନ୍ତି। ଫଳରେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରୀମାନେ ହଇରାଣ ହୋଇ ମେସ୍‌ କରି ବାହାରେ ରହିବାକୁ ବାଧ୍ୟ ହେଉଛନ୍ତି।
ୟୁଜିସିର ଦଶମ ପ୍ଲାନ ଅନୁଦାନରେ ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ଛାତ୍ରୀନିବାସକୁ ୨୦୧୪ ଅଗଷ୍ଟ ୧୫ ତାରିଖରେ ଅଧ୍ୟକ୍ଷ ଡ. ବିଜୟ କୁମାର ଦେ, ପୂର୍ବତନ ଜଳେଶ୍ୱର ବିଧାୟକ ନ ଚାନ୍ଦ ଉଦ୍‌ଘାଟନ କରିଥିଲେ। ୨୦୧୫ ନଭେମ୍ବରରେ ଅଧ୍ୟକ୍ଷ ଡ. ରସିକାନନ୍ଦକ ସମୟରେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା। ୫୦ଜଣଙ୍କ ପାଇଁ ଉଦ୍ଦିଷ୍ଟ ଛାତ୍ରୀନିବାସରେ ପ୍ରାୟ ୩୦ରୁ ୩୫ଛାତ୍ରୀ ରହିଆସୁଥିଲେ। ୨୦୧୮ ଗ୍ରୀଷ୍ମ ଅବକାଶରେ ଛାତ୍ରୀନିବାସ ବନ୍ଦ ରହିଥିଲା। ଛୁଟି ଖୋଲିବା ପରଠାରୁ ଏହାକୁ କାର୍ଯ୍ୟକ୍ଷମ କରାଯାଇନାହିଁ। ଆନୁଷଙ୍ଗିକ ମରାମତି ଆବଶ୍ୟକ ଥିବା ଦର୍ଶାଇ ଛୁଟି ଖୋଲିବା ପରେ ଏଠାରେ ରହୁଥିବା ଛାତ୍ରୀଙ୍କୁ ନିଜର ଆସବାବପତ୍ର ନେଇ ତୁରନ୍ତ ହଷ୍ଟେଲ ଖାଲି କରିବାକୁ କୁହାଯାଇଥିଲା। ଗତବର୍ଷ ଅଗଷ୍ଟ ଶେଷ ସୁଦ୍ଧା ଛାତ୍ରୀ ନିବାସ ପୁନଃ କାର୍ଯ୍ୟକ୍ଷମ ହେବ କୁହାଯାଉଥିବା ବେଳେ ଏହା ମଧ୍ୟରେ ୧୪ ମାସ ଅତିକ୍ରାନ୍ତ ହୋଇଗଲାଣି। ସେତେବେଳର ଅଧ୍ୟକ୍ଷ ଚଳିତବର୍ଷ ଜାନୁୟାରୀରେ ଅବସର ଗ୍ରହଣ କରିସାରିଛନ୍ତି। ତେବେ ଛାତ୍ରୀନିବାସ ନିର୍ମାଣ କାର୍ଯ୍ୟରେ ସରକାରୀ ଅର୍ଥର ଠିକ୍‌ ବ୍ୟବହାର କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ନୂତନ ଅଧ୍ୟକ୍ଷ ଗୟାରାମ ଙ୍କୁ ପଚାରିବାରୁ ସେ କହିଛନ୍ତି, ଛାତ୍ରୀନିବାସ ପାଇଁ ଭଲ ରୋଷେୟା ଖୋଜା ଚାଲିଛି ା ରୋଷେୟା ମିଳିବା ପରେ ଛାତ୍ରୀନିବାସକୁ କାର୍ଯ୍ୟକ୍ଷମ କରାଯିବ।