୧୪ ରେଳ ଷ୍ଟେଶନକୁ ମିଳିଲା ଆଇଏସ୍‌ଓ ମାନ୍ୟତା: ଉନ୍ନତ ସେବା, ପରିବେଶ ଉପଯୋଗୀ କାର୍ଯ୍ୟକ୍ରମ ନିମନ୍ତେ ମିଳିଲା

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ପରିବେଶ ଅନୁକୂଳ କାର୍ଯ୍ୟକଳାପ ଏବଂ ଉନ୍ନତ ସେବା ଲାଗି ପୂର୍ବତଟ ରେଳପଥର ୧୪ଟି ରେଳ ଷ୍ଟେଶନକୁ ଆଇଏସ୍‌ଓ ୧୪୦୦୧:୨୦୧୫ ପ୍ରମାଣପତ୍ର ମିଳିଛି। ସ୍ବଚ୍ଛ ଏବଂ ସବୁଜ ପରିବେଶ ମଧ୍ୟରେ ଯାତ୍ରୀଙ୍କୁ ସେବା ଓ ସୁବିଧା ଯୋଗାଇ ଦେଉଥିବା ଷ୍ଟେଶନଗୁଡିକୁ ଏହି ପ୍ରମାଣପତ୍ର ମିଳିଛି। ଯାତ୍ରୀମାନଙ୍କ ନିମନ୍ତେ ଏହି ଷ୍ଟେଶନରେ ଉତ୍କୃଷ୍ଠ ଶ୍ରେଣୀର ଭିଆଇପି ଲାଉଞ୍ଜ, ପ୍ରତୀକ୍ଷା କକ୍ଷ, ଏସି ଓ ନନ୍‌-ଏସି ବିଶ୍ରାମ କକ୍ଷ ଓ ଡର୍ମିଟୋରୀ, ରିଫ୍ରେସିଙ୍ଗ୍‌ ଅଞ୍ଚଳ, ସ୍ବାସ୍ଥ୍ୟକର ଖାଦ୍ୟ ସୁବିଧା ଓ ଉନ୍ନତ ପରିଷ୍କାର ପରିଚ୍ଛନ୍ନତାର ସୁବିଧା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଉପଲବ୍ଧ ରହିଛି। ଏହାବ୍ୟତୀତ ବର୍ଜ୍ୟବସ୍ତୁ ପୃଥକୀକରଣ ଏବଂ ଅପସାରଣ ସହିତ ବର୍ଜ୍ୟବସ୍ତୁ ପରିଚାଳନାକୁ ଆଇଏସ୍‌ଓ ଅଡିଟ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି। ପୂର୍ବରୁ ଗତ ଜାନୁୟାରୀ ୩୦ରେ ଖୋର୍ଦ୍ଧାରୋଡ ମଣ୍ଡଳର ଭୁବନେଶ୍ୱର ଓ କଟକ ରେଳ ଷ୍ଟେଶନ ଏବଂ ଫେବୃୟାରୀ ୧୨ରେ ପୁରୀ ଷ୍ଟେଶନକୁ ଆଇଏସ୍‌ଓ ମାନ୍ୟତା ମିଳିଥିଲା ଅନ୍ୟପକ୍ଷରେ ଜୁନ୍‌ ୧୦ରେ ସମ୍ବଲପୁର ମଣ୍ଡଳର ୪ଟି ଷ୍ଟେଶନ ତଥା ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ ଓ କେସିଙ୍ଗା ଷ୍ଟେଶନକୁ ଆଇଏସ୍‌ଓ ପ୍ରମାଣପତ୍ର ମିଳିଥିବା ବେଳେ ୱାଲ୍‌ଟିୟର ମଣ୍ଡଳର ୭ଟି ଷ୍ଟେଶନକୁ ଏହି ପ୍ରମାଣପତ୍ର ମିଳିଛି। ବିଶାଖାପାଟଣା, ବିଜୟନଗରମ୍‌, ଶ୍ରୀକାକୁଲମ୍‌, ଜଗଦଲପୁର, ଆରାକୁ, ସିହ୍ମାଚଳମ୍‌ ଏବଂ ରାୟଗଡ଼ା ଷ୍ଟେଶନକୁ ଆଇଏସ୍‌ଓ ମିଳିଛି। ପୂର୍ବରୁ ମଞ୍ଚେଶ୍ୱରସ୍ଥିତ ରେଳ ଡବା ମରାମତି କାରଖାନା, ଅନୁଗୋଳ ଏବଂ ବିଶାଖାପାଟଣାସ୍ଥିତ ଇଲେକ୍ଟ୍ରିକ୍‌ ଲୋକୋ ସେଡ୍‌ ଏବଂ ବିଶାଖାପାଟଣାସ୍ଥିତ ଡିଜେଲ୍‌ ଲୋକୋ ସେଡ୍‌ ଭଳି ଉପତ୍ାଦନ ୟୁନିଟ୍‌କୁ ଆଇଏସ୍‌ଓ ୧୪୦୦୧:୨୦୧୫ ପ୍ରମାଣପତ୍ର ଦିଆଯାଇଛି। ନ୍ୟାଶନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି)ର ନିର୍ଦ୍ଦେଶାନୁଯାୟୀ ପୂର୍ବତଟ ରେଳପଥ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ନୂଆଦିଲ୍ଲୀସ୍ଥିତ ଏକ କନ୍‌ସଲ୍‌ଟାନ୍ସି ଫାର୍ମକୁ ବିଭିନ୍ନ ଷ୍ଟେଶନରେ ଥିବା ବ୍ୟବସ୍ଥାର ଅଡିଟ୍‌ କରିବା ପାଇଁ ଠିକା ପ୍ରଦାନ କରିଥିଲା।

Share