Categories: ଜାତୀୟ

୧୪ ଶହ କିଲୋମିଟର ‘ଗ୍ରୀନ୍‌ ଓ୍ବାଲ’ ବା ସବୁଜ ପ୍ରାଚୀର କରିବାକୁ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୯।୧୦: କେନ୍ଦ୍ରର ମୋଦି ସରକାର ୧୪ଶହ କିଲୋମିଟର ଲମ୍ବ ଓ ୫କିଲୋମିଟର ଓସାରର ଗ୍ରୀନ୍‌ ବେଲ୍ଟ ବା ସବୁଜ ପ୍ରାଚୀର କରିବାର ଯୋଜନା କରୁଛନ୍ତି। ଆଫ୍ରିକା ମହାଦ୍ୱୀପରେ ଥିବା ପ୍ରାଚୀର ଭଳି ଏହାକୁ ନିର୍ମାଣ କରାଯିବ। ଏହା ଗୁଜରାଟରୁ ଦିଲ୍ଲୀ-ହରିୟାଣା ସୀମାରେ ନିର୍ମାଣ କରାଯିବ ବୋଲି ଜଣାପଡିଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ପରିବେଶ ସଂରକ୍ଷଣ ବା ସୁରକ୍ଷା। ଏହାଦ୍ୱାରା ପଶ୍ଚିମରୁ ଆସୁଥିବା ଗ୍ରୀଷ୍ମ ପ୍ରବାହ କମ୍‌ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଆଫ୍ରିକାରେ ଜଳବାୟୁ ପରିବର୍ତ୍ତନ ଯୋଗୁ ମରୁଭୂମୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏମିତି ଗ୍ରୀନ୍‌ ବେଲ୍ଟର ନିର୍ମାଣ କରାଯାଇଛି। ଯାହାକୁ ‘ଗ୍ରେଟ୍‌ ଗ୍ରୀନ୍‌ ବେଲ୍ଟ ଅଫ୍‌ ସାହାରା’ବୋଲି ମଧ୍ୟ କୁହାଯାଏ। ଭାରତରେ ଏବେ ଏହା ପ୍ରାଥମିକ ସ୍ତରରେ ଥିବା ବେଳେ କେତେକ ମନ୍ତ୍ରଣାଳୟର ଅଧିକାରୀମାନେ ଏହାକୁ ନେଇ ଉତ୍ସାହିତ ମଧ୍ୟ ଅଛନ୍ତି ବୋଲି କୁହାଯାଉଛି। ଯଦି ଏହି ‘ଗ୍ରୀନ୍‌ ବେଲ୍ଟ’ ଯୋଜନାକୁ ମଞ୍ଜୁରୀ ମିଳେ ତେବେ ଏହା ଭାରତରେ ପ୍ରଦୂଷଣ ମାତ୍ରାକୁ କମାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଆଲୋଚନା ହେଲାଣି।

Share