Categories: ଗଞ୍ଜାମ

୧୪ ସୁଦ୍ଧା ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା

ବୁଗୁଡ଼ା,୧୩ା୮(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ୨୧ ପଞ୍ଚାୟତରେ କାଳିଆ ଯୋଜନାରେ ୫ ହଜାର ଟଙ୍କା ଲେଖାଏ ୧୫ ହଜାର ୩୯୪ ହିତାଧିକାରୀ ପାଇ ଉପକୃତ ହୋଇଛନ୍ତି। ସେଥିରୁ କେତେକ ଅଯୋଗ୍ୟ ହିତାଧିକାରୀ ଅର୍ଥ ନେଇଥିବା ପ୍ରଶାସନ ପାଖରେ ଅଭିଯୋଗ ହେବା ପରେ ବର୍ତ୍ତମାନ ତାର ତନାଘନା ଆରମ୍ଭ ହୋଇଛି। ବୁଗୁଡ଼ା ବ୍ଲକର ଏ.କରଡ଼ାବାଡ଼ି ପଞ୍ଚାୟତରେ ୧୫୬ ହିତାଧିକାରୀ କାଳିଆ ଯୋଜନାର ଅର୍ଥ ପାଇଥିବା ବେଳେ ଅରଖପୁର ପଞ୍ଚାୟତରେ ୬୦୭, ଅନ୍ତରପଡ଼ା ପଞ୍ଚାୟତରେ ୬୪୪, ବି.କରଡ଼ାବାଡ଼ିରେ ୬୪୦, ବାଲିପଦର ପଞ୍ଚାୟତରେ ୫୧୨, ଭଗବାନପୁର ପଞ୍ଚାୟତରେ ୬୨୪, ଭାମଶିଆଳିରେ ୫୭୭, ବିରଞ୍ଚତ୍ପୁର ପଞ୍ଚାୟତରେ ୧୧୨୩, ଗୌଡ଼ିଆବୋରଦାରେ ୬୩୫, ଗୋଳାବନ୍ଧରେ ୧୩୧୦, ଗୋଲିଆରେ ୮୫୯, କଳମ୍ବରେ ୮୧୪, କରଚୁଲିରେ ୧୧୫୮, କରସିଙ୍ଗିରେ ୬୦୬, ଖୋଳଖାଳିରେ ୧୦୦୬, ମାଣିତରା ପଞ୍ଚାୟତରେ ୧୦୯୪, ପାଙ୍ଗିଡ଼ିରେ ୭୫୭, ସଙ୍କୁରୁରେ ୨୫୪, ମୋଟାବାଡି, ୫୪୨ ଓ ତାକରଡ଼ାରେ ୫୬୭ ଓ ପୋଚାଲୁଣ୍ଡି ପଞ୍ଚାୟତରେ ୯୦୯ ହିତାଧିକାରୀ ଏପରି ମୋଟ ୧୫ ହଜାର ୩୯୪ ହିତାଧିକାରୀ ଅର୍ଥ ପାଇଛନ୍ତି। ବର୍ତ୍ତମାନ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଯାଞ୍ଚ କରିବା ପାଇଁ ପ୍ରତି ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଗୋଟିଏ କମିଟି ଗଠନ କରାଯାଇ ଘଟଣାର ତଦନ୍ତ ଚାଲିଥିବା ବେଳେ ଅଗଷ୍ଟ ୧୪ ତାରିଖ ଅର୍ଥାତ୍‌ ବୁଧବାର ସୁଦ୍ଧା ଅଯୋଗ୍ୟ ହିତାଧିକାରୀମାନେ ଅର୍ଥ ଫେରାଇବାକୁ ପଞ୍ଚାୟତ କାର୍ଯ୍ୟାଳୟରେ ନୋଟିସ ପ୍ରଦାନ କରାଯାଇଛି। ଅଯୋଗ୍ୟ ହିତାଧିକାରୀମାନେ ଅର୍ଥ ନ ଫେରାଇଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।