Categories: ଜାତୀୟ

୧୫ବର୍ଷରୁ ଅବୈଧ ଭାବେ ଲକ୍ଷ୍ନୌରେ ରହୁଥିବା ପାକିସ୍ତାନୀ ମହିଳାଙ୍କ ନାଁରେ ମାମଲା

ଲକ୍ଷ୍ନୌ,୧୬।୧୨: ନାଗରିକତା ସଂଶୋଧନ ଆଇନକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାରି ଭିତରେ ୧୫ ବର୍ଷରୁ ଅବୈଧ ଭାବେ ଲକ୍ଷ୍ନୌରେ ରହୁଥିବା ପାକିସ୍ତାନର ଜଣେ ମହିଳାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଗୁଇନ୍ଦା ବିଭାଗର ରିପୋର୍ଟ ଅନୁସାରେ ଏହି ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ମହିଳା ଜଣକଙ୍କ ହେଉଛନ୍ତି ଉଜମା ସଲାଲ। ୧୯୪୭ରେ ଦେଶ ବିଭାଜନ ସମୟରେ ଉକ୍ତ ମହିଳାଙ୍କ ପରିବାର ପାକିସ୍ତାନକୁ ପଳାଇଥିଲେ। ଏହାପରେ ଉଜମା ପ୍ରାୟ ସମୟରେ ପର୍ଯ୍ୟଟକ ଭିଜା ନେଇ ଲକ୍ଷ୍ନୌକୁ ଯା’ଆସ କରୁଥିଲେ। ହେଲେ ୨୦୦୪ରେ ସେ ୪୫ ଦିନ ପାଇଁ ପର୍ଯ୍ୟଟକ ଭିଜା ନେଇ ଆସିଥିବା ବେଳେ ଆଉ କିନ୍ତୁ ପାକିସ୍ତାନକୁ ଫେରି ନ ଥିଲେ। ଲକ୍ଷ୍ନୌରେ ଉଜମା ବିବାହ କରି ଘରସଂସାର କରିଥିଲେ। ତେବେ ଭାରତର ନାଗରିକତା ନ ନେଇ ଦୀର୍ଘ ୧୫ ବର୍ଷ ଧରି ପିଲାଙ୍କ ସହ ରହୁଥିବା ଉଜମାଙ୍କର ଏବେ ସମସ୍ୟା ବଢ଼ିଯାଇଛି। କାରଣ ନାଗରିକତା ସଂଶୋଧନ ଆଇନ ଆସିବା ପରେ ବୈଧ କାଗଜପତ୍ର ନ ଥିବା ବ୍ୟକ୍ତିଙ୍କର ଭାରତରେ ରହିବା ଏବେ କଷ୍ଟକର ହୋଇପଡ଼ିଛି।

Share