୧୫ରୁ ନେପାଳରେ ଅନ୍ତର୍ଜାତୀୟ ପ୍ରବାସୀ ଓଡ଼ିଆ ସମାବେଶ: ଓଡ଼ିଶାରୁ ଯାତ୍ରାକଲେ ୨୦ ଜଣିଆ ଦଳ

ଢେଙ୍କାନାଳ ଅଫିସ, ୧୪ା୯ – ନେପାଳର ଆଧ୍ୟାତ୍ମିକ ସହର କାଠମାଣ୍ଡୁରେ ସେପ୍ଟେମ୍ବର ୧୫ରୁ ୩ଦିନ ଧରି ଆୟୋଜିତ ହେଉଛି ଅନ୍ତର୍ଜାତୀୟ ପ୍ରବାସୀ ଓଡ଼ିଆ ସମାବେଶ। ବିଶ୍ୱ ଓଡ଼ିଶା ନେପାଳ ମୈତ୍ରୀ ପରିଷଦ ଏବଂ ବିଶ୍ୱ ଓଡ଼ିଶା ଶ୍ରମ ପରିଷଦର ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ୨୦ଜଣ ଯୋଗଦେବେ। ଶୁକ୍ରବାର ସମ୍ପୃକ୍ତ ପ୍ରତିନିଧିମାନେ ନେପାଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।
ଅଭିଯାତ୍ରୀ ଦଳକୁ ଢେଙ୍କାନାଳରେ ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ପ୍ରସନ୍ନ ମିଶ୍ର, ଉଫୁନା ଅନୁଷ୍ଠାନ ସଭାପତି ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
ସମାବେଶରେ ପ୍ରବାସୀ ଓଡ଼ିଆ ସମ୍ପର୍କର ମିଳନ, ସାଂସ୍କୃତିକ ବିନିମୟ, ସାହିତ୍ୟ, ସଂହତି, ଶ୍ରମ କର୍ମଶାଳା, ଓଡ଼ିଆ ସ୍ବାକ୍ଷର ସମ୍ପର୍କ ଆଦି କାର୍ଯ୍ୟକ୍ରମ ରହିଛି। ଏହା ନେପାଳରେ ବସବାସ କରୁଥିବା ଶ୍ରମଜୀବୀ, କର୍ମଜାବୀ ଓଡ଼ିଆଙ୍କ ମଧ୍ୟରେ ସମ୍ପର୍କର ଆଦାନ ପ୍ରଦାନ ଲାଗି ବାଟ ଫିଟାଇବ। ସେଠାକାର ସାହିତି୍ୟକ ଏବଂ ବୁଦ୍ଧିଜୀବୀଙ୍କ ସହିତ ସ୍ବତନ୍ତ୍ର ଅଧିବେଶନରେ ଓଡ଼ିଶା-ନେପାଳ ମଧ୍ୟରେ ଥିବା ଐତିହାସିକ ସମ୍ପର୍କ ଉପରେ ଆଲୋଚନା ହେବ ବୋଲି ବିଶ୍ୱ ଓଡ଼ିଶାର କାର୍ଯ୍ୟକାରୀ ସଭାପତି କବି ବାହାଦୁର ପାଟଶାହାଣୀ ଏବଂ ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ ସୂଚନା ଦେଇଛନ୍ତି।