୧୫ରୁ ବୈଶାଖୀ ବାଣିଜ୍ୟ ମେଳା: ସ୍ଥାନ ପାଇବ ୪୯୦ ଷ୍ଟଲ

କଟକ ଅଫିସ,୯।୩,: କଟକ ଉପର ବାଲିଯାତ୍ରା ପଡିଆରେ ଆସନ୍ତା ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ବୈଶାଖୀ ବାଣିଜ୍ୟ ମେଳା ଅନୁଷ୍ଠିତ ହେବ। ଏହାକୁ ମିନି ବାଲିଯାତ୍ରା ବୋଲି ମଧ୍ୟ କୁହାଯାଏ। ବୈଶାଖୀ ବାଣିଜ୍ୟ ମେଳା ଆୟୋଜକ କମିଟି ପକ୍ଷରୁ ରବିବାର ସନ୍ଧ୍ୟାରେ ଓଡ଼ିଶା ଅଲିମ୍ପିକ ଆସୋସିଏଶନ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମେଳା ଆୟୋଜନ ସମ୍ପର୍କରେ ସୂଚନା ଦିଆଯାଇଥିଲା।
ଚଳିତ ବର୍ଷର ମେଳାରେ ୪୯୦ ଷ୍ଟଲ ସ୍ଥାନ ପାଇବ। ପଶ୍ଚିମବଙ୍ଗ, ଗୁଜରାଟ, ଆସାମ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ହରିୟାଣା, ଦିଲ୍ଲୀର ବ୍ୟବସାୟୀମାନେ ଏଥିରେ ଯୋଗଦେବେ। ଚଳିତବର୍ଷ ଅଟୋ ଏକ୍ସପୋ ଆୟୋଜନ ହେଉଥିବାବେଳେ ଫୁଡ୍‌କୋର୍ଟକୁ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯିବାକୁ ସ୍ଥିର ହୋଇଛି। ଏହାଛଡ଼ା ୧୭ ଓ ୧୮ ତାରିଖ ଦୁଇଦିନ ଧରି ଚିତ୍ରାଙ୍କନ ପ୍ରତିଯୋଗିତା ହେବ। ଏଥିରେ ବିନା ପ୍ରବେଶ ଶୁଳ୍କରେ ବିଭିନ୍ନ ବୟସର ପ୍ରତିଯୋଗୀ ଭାଗନେବେ। ୨୦ ତାରିଖ ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ପ୍ରତ୍ୟହ ସନ୍ଧ୍ୟାରେ ଲୋକଗୀତ, ନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯିବ। ଗରିବ ଥାଲାସେମିଆ ରୋଗୀଙ୍କୁ ଆୟୋଜକଙ୍କ ପକ୍ଷରୁ ୨୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ସ୍ଥିର କରାଯାଇଛି ବୋଲି ସମ୍ମିଳନୀରେ କୁହାଯାଇଥିଲା। ଏହି ସମ୍ମିଳନୀରେ ମେଳା ଆୟୋଜକ କମିଟିର ପରାମର୍ଶଦାତା ଡ. ଶରତ କୁମାର ସାହୁ, ପୂର୍ବତନ ମେୟର ସୌମେନ୍ଦ୍ର ଘୋଷ, ବିଧାୟକ ଇଂ. ମହମ୍ମଦ ମୋକିମ, ରଞ୍ଜନ ବିଶ୍ୱାଳ, ମଧୁସୂଦନ ସାହୁ, ଆବାହକ ଆଶୀର୍ବାଦ ବେହେରା ଉପସ୍ଥିତ ଥିଲେ। ସଂଯୋଜକ ଦେବୀପ୍ରସାଦ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share