୧୫ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର, ୬ ଗିରଫ

ବାଲେଶ୍ୱର ଅଫିସ, ୩୧।୮-ବାଲେଶ୍ୱର ଟାଉନ ଥାନା ଅଧୀନ ସୁନହଟ କନକଦୁର୍ଗା ମନ୍ଦିର ନିକଟସ୍ଥ ପରମେଶ୍ୱର ପ୍ରଧାନଙ୍କ ଭଉଣୀ ଘରୁ ଗତ ୨୭ତାରିଖ ରାତିରେ ସୁନାଗହଣା, ନଗଦ ଟଙ୍କା ସହ ଗୋଟିଏ ବାଇକ୍‌ ଚୋରି ହୋଇଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ। ଏନେଇ ପରମେଶ୍ୱର ଗତ ୨୮ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଟାଉନ ଥାନାରେ ମାମଲା (ନଂ. ୧୯୮/୧୯-୨୦) ରୁଜୁ କରାଯାଇ ପୋଲିସ ତଦନ୍ତ ଜାରି ରଖିଥିଲା। ଶନିବାର ପୂର୍ବାହ୍ନରେ ପୋଲିସ ଚୋରି ସୁନା ଗହଣା ଓ ମୋଟରସାଇକେଲକୁ ଉଦ୍ଧାର କରିବା ସହ ସମ୍ପୃକ୍ତ ଥିବା ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ ଶନିବାର ମଧ୍ୟାହ୍ନରେ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଏସ୍‌ପି ଉମେଶ ପଣ୍ଡା, ଥାନାଧିକାରିଣୀ ସରୋଜିନୀ ନାୟକ ସୂଚନା ଦେଇଛନ୍ତି।
ପରମେଶ୍ୱରଙ୍କ ଭଉଣୀଙ୍କ ପରିବାର ଲୋକେ ଗତ ୨୭ ତାରିଖରେ ବାହାରକୁ ଯାଇଥିବାବେଳେ ଘର ବନ୍ଦ ରହିଥିଲା। ଏହାର ସୁଯୋଗ ନେଇ ରାତିରେ ୪ଜଣ ଦୁର୍ବୃତ୍ତ ତାଲା ଓ ଝରକା ଭାଙ୍ଗି ଘର ଭିତରେ ପଶିଥିଲେ। ଲୁହା ଆଲମିରା ଭାଙ୍ଗି ସୁନାର ୬ଟି ହାର, ୫ଟି କାନ ଫୁଲ, ୮ଟି ମୁଦି, ୯ଟି ଲକେଟ୍‌, ଗୋଟିଏ ନାକଫୁଲ, ୨ଟି ଚୁଡ଼ି, ଗୋଟିଏ ବ୍ରେସଲେଟ୍‌ ସହ କିଛି କଟା ହୋଇରହିଥିବା ସୁନା, ରୂପାର ୬ଟି ପାଉଁଜି, ୫ଟି ଗୋଡ ମୁଦି, ୪ଟି ଲକେଟ୍‌୍‌, ୪ଟି ତାବିଜ, ୮ଟି ହାତ ଘଣ୍ଟା, ୭ଟି ମୋବାଇଲ ଫୋନ୍‌, ନଗଦ ୩୭ହଜାର ୧ଶହ ଟଙ୍କା ସହିତ ଗୋଟିଏ ମୋଟରସାଇକେଲ ଚୋରି କରିନେଇଥିଲେ। ପୋଲିସ ତଦନ୍ତ କରି ଟାଉନ ଥାନା ଅଧୀନ ଆକତପୁରର ରବି ନାରାୟଣ ବେହେରା (୨୪), ମହାଳିକସାହିର ଅଶୋକ କୁମାର ମହାଳିକ (୨୨), ମାନସିଂବଜାରର ରଞ୍ଜନ ବେହେରା (୨୨), ସଦର ଥାନା ଛେଳିଆପଦା ଗ୍ରାମର ଦୀପକ ବେହେରା (୨୩)ଙ୍କୁ ଗିରଫ କରିଥିଲା। ରେମୁଣା ଥାନା ଅଧୀନ ଦୁର୍ଗାଦେବୀପୁର ଅଞ୍ଚଳର ରାଉତରାୟପୁର ଗ୍ରାମର ଅନନ୍ତ ସାହୁ (୫୦) ଏବଂ ରୂପ୍‌ସା ଥାନା ଅଧିନସ୍ତ ଆଙ୍କୋ ଅଞ୍ଚଳର ସୁବ୍ରତ ଗିରି (୨୦) ଉକ୍ତ ଚୋରି ସାମଗ୍ରୀକୁ ବେଆଇନ ଭାବେ କିଣିଥିବାରୁ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।