୧୫୪ କୋଟି ପିଲାଙ୍କ ପାଠପଢ଼ା ପ୍ରଭାବିତ

ଜାତିସଂଘ,୨୩ା୪: କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ବିଶ୍ୱବ୍ୟାପୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାରୁ ୧୫୪ କୋଟିରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ ହୋଇଛି। ଏପରି ହେଲେ ଆଗାମୀ ଦିନରେ ଅନେକ ଛାତ୍ରୀ ପାଠପଢ଼ାରେ ଡୋରି ବାନ୍ଧିପାରନ୍ତି। ଏହା ଶିକ୍ଷା କ୍ଷେତ୍ରରେ ଲିଙ୍ଗଗତ ଅସମାନତା ବୃଦ୍ଧି କରିବ ବୋଲି ୟୁନେସ୍କୋ ପକ୍ଷରୁ କୁହାଯାଇଛି। ଶିକ୍ଷାନୁଷ୍ଠାନ ବନ୍ଦ ଯୋଗୁ ଛାତ୍ରୀଙ୍କ ଡ୍ରପ୍‌ଆଉଟ ହାର ବଢ଼ିବ। ଏପରି ହେଲେ କିଶୋରୀ ଯୌନ ଶୋଷଣ, ସଅଳ ଗର୍ଭଧାରଣ ଏବଂ ବାଧ୍ୟବାଧକତାରେ ବିବାହ ବୃଦ୍ଧି ପାଇବ ବୋଲି ୟୁନେସ୍କୋ ଶିକ୍ଷା ବିଭାଗର ସହକାରୀ ମହାନିର୍ଦ୍ଦେଶକ ଷ୍ଟିଫାନିଆ ଗିଆନିନି କହିଛନ୍ତି। ସ୍କୁଲ୍‌, କଲେଜ ବନ୍ଦ ଯୋଗୁ ୮୯ ପ୍ରତିଶତ ପିଲା ଘରେ ବସିଛନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ୭୪ କୋଟି ଛାତ୍ରୀ। ସେମାନଙ୍କ ମଧ୍ୟରୁ ୧୧ କୋଟି ଛାତ୍ରୀ ଗରିବ ଦେଶର, ଯେଉଁଠି ଶିକ୍ଷାଗ୍ରହଣ କରିବା ସେମାନଙ୍କ ପାଇଁ ଏକ ସଂଘର୍ଷ। ଶରଣାର୍ଥୀ ଶିବିରରେ ରହୁଥିବା ବା ବିସ୍ଥାପିତ ହୋଇଥିବା ଛାତ୍ରୀଙ୍କ କ୍ଷେତ୍ରରେ ସ୍କୁଲ ବନ୍ଦ ବଡ଼ ବିପର୍ଯ୍ୟୟ ହେବାକୁ ଯାଉଛି। ଲକ୍‌ଡାଉନ ଯୋଗୁ ଗରିବ ପରିବାର ଗୁରୁତର ଆର୍ଥତ୍କ ସଙ୍କଟର ସମ୍ମୁଖୀନ ହେବେ। ଫଳରେ ସେମାନେ ଝିଅମାନଙ୍କୁ ପାଠ ପଢ଼ାଇବାକୁ ସକ୍ଷମ ହେବେନାହିଁ ବୋଲି ଗିଆନିନି କହିଛନ୍ତି।

Share