୧୫ କେଜି ଗଞ୍ଜେଇ ଜବତ, ବ୍ୟବସାୟୀ ଗିରଫ

ସୋର/ବାହାନଗା, ୩୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭୋତ୍ରା ଓ ସୋର ଅବକାରୀ ଥାନାର ସବ୍‌ଇନ୍ସପେକ୍ଟର କୁଳମଣି ମହାରଣାଙ୍କ ନେତୃତ୍ୱରେ ଖନ୍ତାପଡ଼ା ଥାନା ଫତେପୁର ଗ୍ରାମରେ ଚଢାଉ କରାଯାଇଥିଲା। ଗ୍ରାମର ଅଶୋକ କୁମାର ନାୟକ (୪୬)ଙ୍କ ଘରୁ ୧୫ କେଜି ଗଞ୍ଜେଇ ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି।
ଅଶୋକ ସ୍ଥାନୀୟ ଜୁଣିଆ ବଜାରରେ ଥିବା ଦୋକାନରେ ଗଞ୍ଜେଇ ରଖି ବିକ୍ରୟ କରୁଥିଲେ। ଅବକାରୀ ବିଭାଗ ତରଫରୁ ଚଢ଼ାଉ ହେବାର ଖବର ପାଇ ସେ ଏହି ଗଞ୍ଜେଇକୁ ନିଜ ଘରକୁ ନେଉଥିବା ବେଳେ ଅବକାରୀ ଅଧିକାରୀଙ୍କ ହାତରେ ଧରାପଡିଥିଲେ। ଏହି ଗଞ୍ଜେଇର ମୂଲ୍ୟ ୯୦ହଜାର ଟଙ୍କା ହେବ ବୋଲି ବିଭାଗ ତରଫରୁ କୁହାଯାଇଛି। ଅବକାରୀ ବିଭାଗ ତରଫରୁ ଅଧିକ ତଦନ୍ତ ଚାଲୁ ରହିଛି। ଅବକାରୀ ବିଭାଗ ଜିଲା ଭ୍ରାମ୍ୟମାଣ ଥାନାରେ ମାମଲା (ନଂ. ୫୫/୧୯-୨୦) ରୁଜୁ କରାଯାଇଛି। ଚଢ଼ାଉ ସମୟରେ ଆଇଆଇସି ବୁଦ୍ଧଲାଲ ନାୟକ, ସବ୍‌ଇନ୍ସପେକ୍ଟର ଚନ୍ଦ୍ରମୋହନ ସେଠୀ, ଭାସ୍କର ବେହେରା, ସେକ କଲିମ, ପ୍ରହ୍ଲାଦ ବିଶ୍ୱାଳ, ପିଙ୍କି ମାରାଣ୍ଡି ପ୍ରମୁଖ ସାମିଲ ହୋଇଛନ୍ତି।

Share