୧୫ ଘଣ୍ଟା ପରେ ଜୁସ୍‌ ପିଇ ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ

ବାଲେଶ୍ୱର ଅଫିସ/ସଜନାଗଡ଼, ୫।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମୋହରିଙ୍କ ଚାଳିଆ ଉଚ୍ଛେଦ ଘଟଣାକୁ ନେଇ ତହସିଲଦାରଙ୍କ ସହ ଯୁକ୍ତିତର୍କ ପରେ ଅନଶନରେ ବସିଥିବା ବିଧାୟକ ସୁକାନ୍ତ ନାୟକ ଏଥିରୁ ଓହରି ଯାଇଛନ୍ତି। ସେ ପ୍ରାୟ ୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଛନ୍ତି। ବାଲେଶ୍ୱର ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ରାତି ପ୍ରାୟ ସାଢ଼େ ୧୧ଟାରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଧାୟକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବିଧାୟକ ଜୁସ୍‌ ପିଇ ଅନଶନ ଭାଙ୍ଗିଥିଲେ। ଅନଶନ ଭାଙ୍ଗିବା ପରେ ବିଧାୟକ ଭଙ୍ଗାଯାଇଥିବା ମୋହରିଙ୍କ ଚାଳିଆକୁ ବୁଲି ଦେଖିଥିଲେ।

ପ୍ରକାଶ ଯେ, କଚେରୀ ପରିସରରେ ମୋହରିଆମାନେ ଦୀର୍ଘଦିନ ହେବ ଚାଳିଆ କରି ବସୁଥିଲେ। ହେଲେ ଶୁକ୍ରବାର ପୂର୍ବାହ୍ନରେ ତହସିଲଦାର ଟୁଡୁ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ପହଞ୍ଚି ଜେସିବି ମେଶିନ ଲଗାଇ ଉକ୍ତ ଚାଳିଆକୁ ଭାଙ୍ଗିଥିଲେ। ଖବର ପାଇ ବିଧାୟକ ନାୟକ ଘଟଣାସ୍ଥଳରେ ପହଞ୍ଚି ମୋହରିଆଙ୍କ ପାଇଁ କୌଣସି ଥଇଥାନ ବ୍ୟବସ୍ଥା ନ କରି କାହିଁକି ଭାଙ୍ଗୁଛ ବୋଲି ସେ ତହସିଲଦାର ଟୁଡ଼ୁଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ବିଧାୟକ ସମସ୍ୟାର ସମାଧାନ ଦାବିରେ ଓକିଲ, ମୋହରିଙ୍କ ସହ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ। ଏ ନେଇ ନୀଳଗିରି ଥାନାରେ ପୃଥକ ପୃଥକ ୪ଟି ମାମଲା ରୁଜୁ ହୋଇଥିବା ଏସ୍‌ଡିପିଓ ସୁଦାମ ଚରଣ ସାହୁ କହିଛନ୍ତି।

Share