୧୫ ଦିନ ବଢ଼ିଲା ସର୍ବକ୍ଷମା ଅବଧି

ଭୁବନେଶ୍ୱର,୫-୨(ବ୍ୟୁରୋ):ସହରାଞ୍ଚଳରେ ପ୍ଲାନ ବାହାରେ କୋଠାବାଡି ନିର୍ମାଣ କରିଥିବା କିମ୍ବା ଅନୁମୋଦନ ନ ନେଇ ଘର ତିଆରି କରିଥିବା ମାଲିକମାନେ ଆଶ୍ୱସ୍ତ ହୋଇଛନ୍ତି। ରାଜ୍ୟ ସରକାର ମଙ୍ଗଳବାର ସର୍ବକ୍ଷମା ଯୋଜନା(ଆମନେଷ୍ଟି ସ୍କିମ)ର ଅବଧିକୁ ଆଉ ୧୫ ଦିନ ବୃଦ୍ଧି କରିଛନ୍ତି। ଅର୍ଥାତ୍‌ ଘରମାଲିକମାନେ ନିଜର ବେଆଇନ ନିର୍ମାଣକୁ ଫେବୃୟାରୀ ୨୦ ମଧ୍ୟରେ ଜରିମାନା ଦେଇ ନିୟମିତ(ରେଗୁଲାରାଇଜ) କରିପାରିବେ। ଏହାର ଅବଧି ଫେବୃୟାରୀ ୫ରେ ଶେଷ ହେଉଥିଲା। ସହରାଞ୍ଚଳରେ ଏହି ଯୋଜନାକୁ ନେଇ ଲୋକମାନଙ୍କର ଆଗ୍ରହ ବଢୁଥିବା ବେଳେ ଏହାର ଅବଧି ବଢାଇବା ପାଇଁ ଦାବି ହେଉଥିଲା।
ସର୍ବକ୍ଷମା ଯୋଜନା ରାଜ୍ୟର ୯ ଉନ୍ନୟନ କର୍ତ୍ତୃପକ୍ଷ(ଡେଭେଲପମେଣ୍ଟ ଅଥରିଟି)ରେ କାର୍ଯ୍ୟକାରୀ ହେଉଛି। ସେଗୁଡିକ ହେଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ), କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ), ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ(ଆରଡିଏ), ତାଳଚେର-ଅନୁଗୋଳ-ମେରାମୁଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ- କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ(ପିକେଡିଏ), ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ, କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ। ଏହି ଯୋଜନା ପ୍ରତି ଲୋକମାନଙ୍କର ଆଗ୍ରହ ବୃଦ୍ଧିପାଇଛି। ଶେଷ ମୁହୂର୍ତ୍ତରେ ବହୁସଂଖ୍ୟାରେ ଆବେଦନ ଆସୁଥିବାରୁ ଏହାର ଅବଧି ବୃଦ୍ଧି କରାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଏହା ପରେ ଆଉ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ସେ କହିଛନ୍ତି। ଅବଧି ଶେଷ ହେବା ପରେ ପ୍ରଥମେ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ଭଙ୍ଗାଯିବ। ସେଥିପାଇଁ ବିଡିଏ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌କୁ ସର୍ଭେ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ପ୍ଲାନିଂ ମେମ୍ବର ଗୌରୀ ଶଙ୍କର ଭୂୟାଁ କହିଛନ୍ତି।
ରାଜ୍ୟ ସରକାର ୨୦୧୮ ଜୁନ ୨୦ରେ ସର୍ବକ୍ଷମା ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡସ ରେଗୁଲେଶନରେ ଥିବା ନିୟମାବଳୀ ଆଧାରରେ ନିୟମ ଉଲ୍ଲଂଘନକାରୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଉଛି। ପ୍ରଥମେ ଏହାକୁ ୬ ମାସ ପାଇଁ କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଥିଲା। ଏହା ପରେ ପୁଣି ୬ ମାସ ବୃଦ୍ଧି କରାଯାଇଥିଲା। ଜରିମାନା ରାଶି ଅଧିକ ହେବାରୁ ତାହା ଜନସାଧାରଣଙ୍କୁ ଆକୃଷ୍ଟ କରିପାରିଲା ନାହିଁ। ଫଳରେ ବାଧ୍ୟ ହୋଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଜରିମାନା ରାଶିକୁ ପ୍ରତି ବର୍ଗମିଟର ୨୫୦ ଏବଂ ୫୦୦ ଟଙ୍କାକୁ ହ୍ରାସ କରିଥିଲା। ଜରିମାନା ହ୍ରାସ କରିବା ପରେ ଏହାର ଅବଧିକୁ ଆଉ ୬ ମାସ ପାଇଁ ବଢ଼ାଯାଇଥିଲା। ଫଳରେ ଏହି ଯୋଜନା ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଥିଲା। ତେବେ ୧୫ ଦିନିଆ ବୃଦ୍ଧିକୁ ଘରମାଲିକମାନେ ନାପସନ୍ଦ କରିଛନ୍ତି। ଏହାଦ୍ୱାରା ଆର୍କିଟେକ୍ଟମାନେ ମାଲାମାଲ ହେବେ। ଡେଭିଏସନ ରେଗୁଲାରାଇଜ କରିବା ପାଇଁ ଆବଶ୍ୟକ ହେଉଥିବା ନକ୍ସା ତିଆରି କରିବା ସକାଶେ ଆର୍କିଟେକ୍ଟମାନେ ମନଇଚ୍ଛା ଫି ଦାବି କରୁଥିବା ଅଭିଯୋଗ ହେଉଛି। ତେବେ ଏହାର ଅବଧିକୁ ୧୫ ଦିନ ବଦଳରେ ୬ ମାସକୁ ବୃଦ୍ଧି କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।

Share