୧୫ ଦିନ ମଧ୍ୟରେ ଆର୍‌ଟିଓ ଅଫିସକୁ ଦଲାଲମୁକ୍ତ କର; ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୯(ବ୍ୟୁରୋ)- ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆର୍‌ଟିଓ କାର୍ଯ୍ୟାଳୟରେ ଭିଡ ଲାଗୁଛି। ଏହାର ଫାଇଦା ଉଠାଉଛନ୍ତି ଦଲାଲ। ବିଭିନ୍ନ କାର୍ଯ୍ୟ କରାଇଦେବା ନାମରେ ଦଲାଲମାନେ ସାଧାରଣଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଉଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ବିଭିନ୍ନ ଜିଲାର ଜିଲାପାଳ, ଏସ୍‌ପି ଏବଂ ଆର୍‌ଟିଓମାନଙ୍କ ସହ ଆଲୋଚନା କରିଛନ୍ତି। ୧୫ ଦିନ ମଧ୍ୟରେ ଆର୍‌ଟିଓ ଅଫିସଗୁଡ଼ିକୁ ସମ୍ପୂର୍ଣ୍ଣ ଦଲାଲମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଛୁଟିଦିନଗୁଡ଼ିକରେ ଆର୍‌ଟିଓ ଏବଂ ଅନ୍ୟ କର୍ମଚାରୀମାନେ ଲୋକଙ୍କୁ ସେବା ଯୋଗାଇ ଦେଉଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସଡକ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ସଡ଼କ ଦୁର୍ଘଟଣାରେ ହେଉଥିବା ଜନଜୀବନ ହାନି ରାଜ୍ୟର ସାମାଜିକ, ଅର୍ଥନୈତିକ ବିକାଶକୁ ପ୍ରଭାବିତ କରୁଛି। ବିଶେଷକରି ଯୁବକମାନଙ୍କର ମୃତ୍ୟୁ ଘଟିବା ଉଦ୍‌ବେଗର ବିଷୟ। ଏଣୁ ସଡ଼କ ସୁରକ୍ଷା ତଥା ଟ୍ରାଫିକ୍‌ ଆଇନ ସମ୍ପର୍କରେ ଜନସଚେତନତା ହିଁ ଦୁର୍ଘଟଣାକୁ ରୋକି ପାରିବ। ଏଣୁ ସ୍କୁଲ, କଲେଜଠାରୁ ଆରମ୍ଭ କରି ରାସ୍ତାମାନଙ୍କରେ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି।

ସେହିଭଳି ଗାଡ଼ିର କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଆଦି ଯେପରି ଲୋକମାନେ ସୁବିଧାରେ ପାଇପାରିବେ, ତାହାକୁ ଦୃଷ୍ଟିରେ ରଖି ଆର୍‌ଟିଓ ଅଫିସ ଗୁଡ଼ିକରେ ଅଧିକ କାଉଣ୍ଟର ଖୋଲାଯିବା ସହ ଗ୍ରାମାଞ୍ଚଳରେ ଶିବିରମାନ ଆୟୋଜନ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍‌. ବାଲକ୍ରିଷ୍ଣନ୍‌, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

Share