ତାଳଚେର,୨୦ା୫(ନି.ପ୍ର.) ତାଳଚେର ସ୍ବେରେଜ ବୋର୍ଡ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଟ୍ରାନ୍ସଫର୍ମର ୧୫ ଦିନ ହେଲା ଅଚଳ ହୋଇପଡିଛି। ଫଳରେ ସହରର ସମସ୍ତ ଡ୍ରେନ୍ ପାଣି ବିଶୋଧନ ହୋଇ ନ ପାରି ସିଧାସଳଖ ବ୍ରାହ୍ମଣୀ ନଦୀରେ ମିଶୁଛି। ଏହି ଦୂଷିତ ଜଳକୁ ସହରବାସୀ ପାନୀୟଜଳ ଭାବେ ବ୍ୟବହାର କରୁଥିବାରୁ ଆଗାମୀ ଦିନରେ ଜଣ୍ଡିସ ବ୍ୟାପିପାରେ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।
ତାଳଚେର ସହର ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରେ ସ୍ବେରେଜ ବୋର୍ଡ ପକ୍ଷରୁ ୨୦୧୫ ଫେବୃୟାରୀ ୨୨ରେ ୨ ଏମ୍ଏଲ୍ଡି (ମିଲିୟନ ଲିଟର ପର ଡେ) ବିଶିଷ୍ଟ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଶିଳାନ୍ୟାସ ହୋଇଥିଲା। ୧.୬୨ କୋଟି ଟଙ୍କା ବ୍ୟୟରେ ୯ ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରାଯିବାର ଯୋଜନା ରହିଥିଲା। ଏହି ପ୍ଲାଣ୍ଟ ସହରର ନର୍ଦ୍ଦମା ପାଣିକୁ ବିଶୋଧନ କରି ଜଳଯୋଗାଣ କେନ୍ଦ୍ରର ଅଧା କିମି ଦୂରରେ ବ୍ରାହ୍ମଣୀ ନଦୀକୁ ଛାଡିବ ବୋଲି ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ୪ବର୍ଷ ବିତିଯାଇଥିଲେ ବି ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଡ୍ରେନ୍ ଜଳକୁ ବିଶୋଧନ କରାଯାଇ ପାଇପ୍ ଯୋଗେ ଗୋପୀନାଥପୁର ନିକଟରେ ବ୍ରାହ୍ମଣୀ ନଦୀରେ ଛଡାଯିବା ଯୋଜନା ହୋଇଥିଲେ ବି ଉକ୍ତ ଗ୍ରାମବାସୀଙ୍କ ବିରୋଧ ଯୋଗୁ ତାହା ମଧ୍ୟ ସମ୍ଭବ ହୋଇପାରୁ ନାହିଁ। ତଥାପି ଏହି ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଡ୍ରେନ୍ ଜଳ ବିଶୋଧନ କରାଯାଉଥିବା ବେଳେ ଟ୍ରାନ୍ସଫର୍ମର ପୋଡି ଯିବା ଯୋଗୁ ଆଉ ବିଶୋଧନ କାର୍ଯ୍ୟ ହୋଇପାରୁ ନାହିଁ। ଫଳରେ ଦୂଷିତ ଡ୍ରେନ ଜଳ ବ୍ରାହ୍ମଣୀ ନଦୀ ଜଳଧାର ଦେଇ ଜନସ୍ବାସ୍ଥ୍ୟ ବିଭାଗର ଇନଟେକ ୱେଲକୁ ଯାଉଛି। ସେଠାରୁ ସହରକୁ ପାନୀୟ ଜଳ ଯୋଗାଣ ହେଉଥିବାରୁ ଏହା ପାଣିକୁ ଦୂଷିତ କରୁଛି। ବିଓଡି (ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ) ବହୁ ପରିମାଣରେ ଅଧିକ ରହୁଛି। ଏହି ଜଳକୁ ସହରର ପ୍ରାୟ ୫୦ ହଜାର ଅଧିବାସୀ ବ୍ୟବହାର କରିଆସୁଛନ୍ତି।
ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଏସ. ମହାନ୍ତି କହିଛନ୍ତି, ଟ୍ରାନ୍ସଫର୍ମର ପୋଡିଯାଇଛି। ତେଣୁ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଜଳ ବିଶୋଧନ ହୋଇପାରୁ ନାହିଁ। ସେସୁ କର୍ତ୍ତୃପକ୍ଷ ନୂଆ ଟ୍ରାନ୍ସଫର୍ମର ଲଗାଇବା ପରେ ଏହା କାର୍ଯ୍ୟକ୍ଷମ ହେବ।