୧୫ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ସେବା ଠପ୍‌

ତାଳଚେର,୨୦ା୫(ନି.ପ୍ର.)- ତାଳଚେର ବ୍ଲକ କଳମଛୁଇଁ ପଞ୍ଚାୟତରେ ବିଏସ୍‌ଏନ୍‌ଏଲ୍‌ ସେବା ୧୫ ଦିନ ହେଲା ଠପ୍‌ ହୋଇଯାଇଛି। ଜିଓ କମ୍ପାନୀ ନିଜ ନେଟୱର୍କ ସୁଦୃଢ କରିବା ପାଇଁ ୪ଜି କେବୁଲ ନିଜ ଟାୱାରଗୁଡିକ ସହ ସଂଯୋଗ କରୁଛି। ରାସ୍ତା କଡରେ ଗାତ ଖୋଳି ମେଶିନ୍‌ ସାହାଯ୍ୟରେ ବୋରିଂ କରି କେବୁଲ ବିଛାଇବା କାମ କରୁଛି। ଫଳରେ ପୂର୍ବରୁ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ବିଛାଯାଇଥିବା କେବୁଲ ନଷ୍ଟ ହୋଇଯାଇଛି ବୋଲି ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କଳମଛୁଇଁ ଗ୍ରାମର ପ୍ରାୟ ଦୁଇ କିଲୋମିଟରରୁ ଅଧିକ ଲମ୍ବର ବିଏସ୍‌ଏନ୍‌ଏଲ୍‌ କେବୁଲ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଏହାଦ୍ୱାରା ପଚାଶରୁ ଊର୍ଦ୍ଧ୍ୱ ଗ୍ରାହକଙ୍କ ଟେଲିଫୋନ ଲାଇନ ବିଛିନ୍ନ ହୋଇଥିବା ବେଳେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହୋଇଛି। କଳମଛୁଇଁ ପଞ୍ଚାୟତ ଅନ୍ତର୍ଗତ ଦୁଇଟି ବ୍ୟାଙ୍କ ସହ ଥାନା, କଲେଜ, ହାଇସ୍କୁଲ ତଥା ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନଗୁଡିକ ଇଣ୍ଟରନେଟ୍‌ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ବ୍ୟାଙ୍କ ଗୁଡିକର ଲିଙ୍କ ନ ଥିବାରୁ ଗ୍ରାହକମାନେ ଆର୍ଥିକ ଦେଣନେଣ କରି ନ ପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଓ କମ୍ପାନୀର ଏଭଳି ମନମୁଖୀ କାର୍ଯ୍ୟ ବିରୋଧରେ ବହୁ ଉପଭୋକ୍ତା ଅସନ୍ତୁଷ୍ଟ ହୋଇ ସ୍ଥାନୀୟ ବିଏସ୍‌ଏନ୍‌ଏଲ୍‌ ଅଫିସରେ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁ ନାହିଁ। ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଜିଓ ବିରୋଧରେ ସ୍ଥାନୀୟ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ତୁରନ୍ତ କେବୁଲ ସଂଯୋଗ କରି ବିଏସ୍‌ଏନ୍‌ଏଲ୍‌ ସେବା ଯୋଗାଇ ଦେବାକୁ ଉପଭୋକ୍ତାମାନଙ୍କ ପକ୍ଷରୁ ଦାବି ହେଉଛି।