ଚଟୋଗ୍ରାମ,୫।୯: ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ୍ ନିଜ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ସ୍ଥାନୀୟ ଜାହୁର ଅହମ୍ମଦ ଚୌଧାରୀ ଷ୍ଟାଡିୟମ୍ରେ ଗୁରୁବାରଠାରୁ ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟରେ ଆଫଗାନିସ୍ତାନ ଦଳର ନେତୃତ୍ୱ ନେଇ ରସିଦ ସର୍ବକନିଷ୍ଠ ଟେଷ୍ଟ ଅଧିନାୟକ ହୋଇପାରିଛନ୍ତି। ସେ ୨୦ ବର୍ଷ ୩୫୦ ଦିନରେ ଜାତୀୟ ଟେଷ୍ଟ ଦଳର ନେତୃତ୍ୱ ନେଇଛନ୍ତି। ଏଥିପୂର୍ବରୁ ଏହି ରେକର୍ଡ ଜିମ୍ବାଓ୍ବେର ତତେନ୍ଦା ତାଇବୁଙ୍କ ନାମରେ ଥିଲା। ତାଇବୁ ୨୦ ବର୍ଷ ୩୫୮ ଦିନରେ ଟେଷ୍ଟ ଫର୍ମାଟରେ ଦଳର ନେତୃତ୍ୱ ନେଇଥିଲେ। ଏହି ତାଲିକାରେ ଭାରତର ନଓ୍ବାବ ଅଫ୍ ପଟୌଦି (୨୧ ବର୍ଷ ୭୭ ଦିନ), ପାକିସ୍ତାନର ଓ୍ବାକର ୟୁନିସ (୨୨ ବର୍ଷ ୧୫ ଦିନ), ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ (୨୨ ବର୍ଷ ୮୨ ଦିନ), ବାଂଲାଦେଶର ସାକିବ ଅଲ ହାସନ (୨୨ ବର୍ଷ ୧୧୫ ଦିନ)ଙ୍କ ଭଳି ଅଧିନାୟକ ରହିଛନ୍ତି।