Categories: ଜାତୀୟ

୧୫ ବର୍ଷ ପୁରୁଣା ଗାଡ଼ି ରେଜିଷ୍ଟ୍ରେଶନ୍‌ରେ ଦେବାକୁ ପଡ଼ିପାରେ ୨୫ ଗୁଣା ଅଧିକ ଫି

ନୂଆଦିଲ୍ଲୀ,୫।୧୦: ଏଣିକି ୧୫ ବର୍ଷ ପୁରୁଣା ଗାଡ଼ି ରେଜିଷ୍ଟ୍ରେଶନ୍‌ ପାଇଁ ୨୫ ଗୁଣା ଅଧିକ ଫି ଦେବାକୁ ପଡ଼ିପାରେ। ଏନେଇ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବିତ ଭଲ୍ୟୁଣ୍ଟାରୀ ସ୍କେପିଙ୍ଗ୍‌ ଅଫର ଅନ୍ତର୍ଗତ ୧୫ ବର୍ଷ ପୁରୁଣା ଗାଡ଼ିର ରେଜିଷ୍ଟ୍ରେଶନ୍‌ ପୁଣିଥରେ କରିବାକୁ ପଡ଼ିବ। ଏହି ପ୍ରସ୍ତାବକୁ ସରକାର ଗ୍ରହଣ କରିନେଲେ ଗାଡ଼ି ମାଲିକଙ୍କୁ ଅଧିକ ରେଜିଷ୍ଟ୍ରେଶନ୍‌ ଫି ଦେବାକୁ ପଡ଼ିବ। ଘରୋଇ ଗାଡ଼ିର ରେଜିଷ୍ଟ୍ରେଶନ୍‌ ପାଇଁ ଏହି ନୂଆ ପ୍ରସ୍ତାବ ଅନୁସାରେ ୨୫ ପ୍ରତିଶତ ଅଧିକ ଦେବାକୁ ପଡ଼ିବ। ତେବେ କମର୍ସିଆଲ୍‌ ଯାନ କ୍ଷେତ୍ରରେ ଏହା ୧୨୫ ପ୍ରତିଶତ ବୃଦ୍ଧି ପାଇବ। ଏନେଇ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବିଭାଗଗୁଡ଼ିକର ମତାମତ ଲୋଡ଼ାଯାଇଛି। ଏହି ନିୟମ ୨୦୨୦ର ମଧ୍ୟ ଭାଗରୁ ଲାଗୁ ହେବାର ସମ୍ଭାବନା ରହିଛି। ନିୟମ ଲାଗୁ ହେଲେ ଦୁଇ ଏବଂ ତିନି ଚକିଆ ଗାଡ଼ିର ରେଜିଷ୍ଟ୍ରେଶନ୍‌ ଫି ୨ ହଜାରରୁ ୩ ହଜାର ଟଙ୍କା ମଧ୍ୟରେ ରହିବ। ତେବେ ଚାରି ଚକିଆ ଯାନ ଗୁଡ଼ିକର ରେଜିଷ୍ଟ୍ରେଶନ୍‌ ଫି ବର୍ତ୍ତମାନର ୬ ଶହ ଟଙ୍କାରୁ ବୃଦ୍ଧି ପାଇ ୧୫ ହଜାର ଟଙ୍କା ହୋଇଯିବ। ପୁରୁଣା ଟ୍ରକ୍‌ ଏବଂ ବସ୍‌ର ଫିଟନେସ୍‌ ଫି ୨ ଶହ ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି ପାଇବ। ସେହିପରି କ୍ୟାବ୍‌ ଏବଂ ମିନି ଟ୍ରକ୍‌ କ୍ଷେତ୍ରରେ ଏହା ୧୫ ହଜାରରୁ ୨୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି।

Share